ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ବାତିଲ କରିଛି । ଏହି ନିଷ୍ପତ୍ତିରେ ପଡୋଶୀ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏବେ ପାକିସ୍ତାନର ସମସ୍ୟାକୁ ଆହୁରି ବଢାଇବା ପାଇଁ ଭାରତ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ଯାଇଛି । ସିନ୍ଧୁ ଜଳ ଚୁକ୍ତି ବାତିଲ ହେବା ପରେ ଭାରତ ସରକାର ଡ୍ୟାମ ଓ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାର ପଥ ପରିଷ୍କାର ହୋଇଛି । ଏହା ମଧ୍ୟରେ ସରକାର ସମ୍ବନ୍ଧିତ ମନ୍ତ୍ରଣାଳୟ ଓ ବିଭାଗ ସହିତ ବୈଠକ କରିଛନ୍ତି । ଜମ୍ମୁ-କାଶ୍ମୀର ଓ ଲଦାଖରେ ଯେଉଁ ହାଇଡଲ ପ୍ରଜେକ୍ଟ ରହିଛି ତାର କାମ ଦ୍ରୁତ ଗତିରେ ତ୍ୱରାନିତ କରାଯାଉ । ଏହା ବାଦ୍ ଅନେକ ଏମିତି ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଉପରେ ସରକାର ବିଚାର ବିମର୍ଶ ଚଳାଇଛନ୍ତି ।
ସରକାର ରିପୋର୍ଟ ମାଗିଛନ୍ତି ଯେ, ଏମିତି କେଉଁ ପ୍ରକଳ୍ପ ରହିଛି, ଯାହା ଶୀଘ୍ର କାମ ସରି ପାରିବ । ସଂପ୍ରତି ସରକାର ୧୦ ନୂଆ ପ୍ରକଳ୍ପକୁ ସର୍ଟଲିଷ୍ଟ କରିଛନ୍ତି ଏବଂ ଏହାର ବିସ୍ତୃତ ସମୀକ୍ଷା ଓ ଅଧ୍ୟୟନ କରାଯାଉଛି । ଏଥିରୁ ୫ ପ୍ରକଳ୍ପକୁ ପୂର୍ବରୁ ମଞ୍ଜୁରୀ ମିଳି ସାରିଛି । କେବଳ ଏତିକି ନୁହେଁ ଦୁଇଟି ପ୍ରଜେକ୍ଟ ପାଇଁ ଶୀଘ୍ର ଟେଣ୍ଡର ଜାରି କରିବାକୁ ପ୍ରସ୍ତୁତି ଚାଲିଛି । ଝେଲମ ନଦୀ ଉପରେ ନିର୍ମିତ ଉରି-୧ ପ୍ରୋଜେକ୍ଟର ବିସ୍ତାର କରାଯାଉଛି । ଏଥିରେ କିଶନଗଙ୍ଗା ନଦୀରେ ପ୍ରବାହିତ ପାଣିକୁ ଅଧିକରୁ ଅଧିକ ବ୍ୟବହାର କରାଯାଇପାରେ । ଏଥିପାଇଁ ଆଗାମୀ ସପ୍ତାହରେ ଟେଣ୍ଡର ଜାରି କରାଯାଇପାରେ । ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ଦୁଇ ମାସ ପୂର୍ବରୁ ମିଳି ସାରିଛି । ଏବେ ଏହି ପ୍ରକଳ୍ପର କାମ ଯୁଦ୍ଧକାଳିନୀ ଭିତ୍ତିରେ ଚାଲିବ ।
ଏମିତି ଆଉ କିଛି ପ୍ରକଳ୍ପ ରହିଛି, ଯାହା ଉପରେ ଶୀଘ୍ର କାମ କରିବାକୁ ପ୍ରସ୍ତୁତି ଚାଲିଛି । ଏହି ପ୍ରକଳ୍ପ ଗୁଡିକ ହେଉଛି ସିନ୍ଧ ନାଲା ଉପରେ ନ୍ୟୁ ଗାନ୍ଦରବଲ ପ୍ରୋଜେକ୍ଟ, ଚେନାବ ନଦୀ ଉପରେ କିରଠାଇ-୨, ରାମବନ ଓ ଉଧମପୁର ଜିଲ୍ଲାରେ ମଧ୍ୟ ଦୁଇଟି ପ୍ରୋଜେକ୍ଟ ଉପରେ ପ୍ରସ୍ତୁତି ଚାଲିଛି । ଏହି ସବୁକୁ ମିଶାଇ ମୋଟ୍ ୩୧୦୦ ମେଗା ୱାଟ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖା ଯାଇଛି । ଏହି ସବୁ ପାଇଁ ରାଜ୍ୟ ଓ କେନ୍ଦ୍ରସ୍ତରରେ ଅନେକ ମଞ୍ଜୁରୀ ନେବାକୁ ପଡିବ । ମାତ୍ର ସରକାରଙ୍କ ଆଭିମୁଖ୍ୟ ଦେଖିଲେ ଏହି ସବୁ ପ୍ରକଳ୍ପକୁ ଶୀଘ୍ର ମଞ୍ଜୁରୀ ମିଳିବ ।