ନୂଆଦିଲ୍ଲୀ: ଭାରତରେ ପ୍ରାୟ ଏକ ସପ୍ତାହ ହେବ ପଡ଼ି ରହିଛି ବ୍ରିଟଶ ନୌସେନାର ଏକ ଅତ୍ୟାଧୁନିକ ଫ୍ରାଇଟର ଜେଟ୍ ଏଫ୍-୩୫ବି । କେରଳର ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏହି ଯୁଦ୍ଧ ବିମାନ ଅଟକି ରହିଛି । ତେବେ କେବେ ଏହା କେବେ ବ୍ରିଟେନ୍ ଫେରିବ ସେ ନେଇ କିଛି ସ୍ପଷ୍ଟ ହୋଇନି ।
ଜୁନ୍ ୧୪ ତାରିଖରେ ରାତି ପ୍ରାୟ ସାଢ଼େ ୯ଟା ସମୟରେ କେରଳ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଆରମ୍ଭରୁ ଏଥିରେ ଇନ୍ଧନ କମ ଥିବା କୁହାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା ଦେଖାଯାଇଛି । ଉକ୍ତ ବିମାନ ଏଚ୍ଏମ୍ଏସ୍ ପ୍ରିନ୍ସ ଅଫ୍ ୱେଲସ ନାମକ ବ୍ରିଟିଶ ବିମାନବାହକ ପୋତରୁ ଉଡ଼ାଣ ଆରମ୍ଭ କରିଥିଲା । ଭାରତର ବାୟୁ ରକ୍ଷା ପରିଚୟ କ୍ଷେତ୍ର (ଏଡିଆଇଜି) ବାହାରେ ନିୟମିତ ପ୍ରଶିକ୍ଷଣ ନିଆଯାଉଥିଲା । କିନ୍ତୁ ହଠାତ୍ ତିରୁଅନନ୍ତପୁରମରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲା । ପରବର୍ତ୍ତୀ ସମୟରେ ଏଥିରେ ଇନ୍ଧନ ଭରା ଯାଇଥିଲା । କିନ୍ତୁ ଉଡ଼ାଣ ପୂର୍ବରୁ ହାଇଡ୍ରୋଲିକ୍ ସିଷ୍ଟମରେ ଆଉ ସମସ୍ୟା ସୃଷ୍ଟି ହୋଇଥିଲା । ଯାହା ଫଳରେ ଫାଇଟର୍ ଜେଟ୍ ଆଉ ଫେରି ପାରି ନ ଥିଲା ବୋଲି ଜଣେ ବାୟୁ ସେନା ଅଧିକାରୀ କହିଛନ୍ତି ।
ବ୍ରିଟିଶ୍ ବିମାନବାହକ ପକ୍ଷରୁ ଏକ ବୈଷୟିକ ଦଳ ମରାମତି ପାଇଁ ଭାରତ ଆସିଥିଲେ । କିନ୍ତୁ ସେମାନେ ମଧ୍ୟ ଯାନ୍ତ୍ରିକ ସମସ୍ୟାକୁ ଠିକ୍ କରି ପାରି ନାହାଁନ୍ତି । ବ୍ରିଟେନରୁ ଆଉ ଏକ ଟେକ୍ନିକାଲ ଟିମ୍ କେରଳ ଆସିବାର ରହିଛି । ଯଦି ଯାନ୍ତ୍ରିକ ତ୍ରୁଟି ଠିକ୍ ନ ହୁଏ ତେବେ ଭାରତୀୟ ସେନାର କାର୍ଗୋ ବିମାନରେ ଏକାକୁ ପୁଣି ବ୍ରିଟେନ୍ ପଠାଯାଇପାରେ ବୋଲି ଅଧିକାରୀ କହିଛନ୍ତି ।