ନୂଆଦିଲ୍ଲୀ: ଶରୀର ସୁସ୍ଥ ଏବଂ ମନକୁ ଶାନ୍ତ ରଖୁଥିବା ଭାରତର ଯୋଗ ସାରା ବିଶ୍ୱରେ ଆଦୃତ ହୋଇସାରିଛି । ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଆନ୍ଧ୍ର ପ୍ରଦେଶର ଆୟୋଜିତ ଯୋଗ ସମାରୋହ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଆନ୍ଧ୍ର ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୋଗ ସମାରୋହରେ ପ୍ରାୟ ୨୨,୦୦୦ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀ ୧୦୮ ଥର ସୂର୍ଯ୍ୟ ନମସ୍କାର କରି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ମାତ୍ର ୧୫ ମିନିଟରେ ସୂର୍ଯ୍ୟ ନମସ୍କାର କରିଥିଲେ ।
ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଏହି ଯୋଗ ସମାରୋହର ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ର ମନ୍ତ୍ରୀ ଆୟୁଷ ପ୍ରତାପରାଓ ଯାଧବ, ଅନକାପଲ୍ଲୀ ସାଂସଦ ସିଏମ୍. ରମେଶ ଏବଂ ରାଜ୍ୟ ମନ୍ତ୍ରୀ ନାରା ଲୋକେଶ ଏବଂ ସତ୍ୟ କୁମାର ଯାଦବ ଉପସ୍ଥିତ ଥିଲେ । ଏୟୁ ଇଞ୍ଜିନିୟରିଂ କଲେଜ ପଡ଼ିଆରେ ୧୩, ୦୦୦ ଛାତ୍ରୀ ଏବଂ ୯୦୦୦ ଛାତ୍ର ଅଂଶ ଗ୍ରହଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଆଲୁରି ସିତାରାମ ରାଜୁ ଜିଲ୍ଲାର (ପୂର୍ବର ଆଲୁରି) ବିଭିନ୍ନ ଆଶ୍ରମ ଏବଂ ଘରୋଇ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ନ୍ତି । ୮୦ ପ୍ରତିଶତ ପିଲା ଏପିଆରଜେସି, କେଜିବିଭି ସ୍କୁଲ, ଏକଲବ୍ୟ ମଡେଲ ସ୍କୁଲ ଏବଂ ଆଶ୍ରମ ବିଦ୍ୟାଳୟର ଅଟନ୍ତି ।
କେନ୍ଦ୍ର ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କ ବେଶ ପ୍ରଶଂସା କରିଥିଲେ । କେବଳ ଆନ୍ଧ୍ର ପ୍ରଦେଶ ନୁହେଁ ବରଂ ସମଗ୍ର ଦେଶକୁ ଗର୍ବିତ କରାଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଅପ୍ରେଲ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରେ ଏହି ଜିଲ୍ଲାର ୨୧,୮୫୦ ଜଣ ଛାତ୍ରଛାତ୍ରୀ ଗୋଟିଏ ପଡ଼ିଆରେ ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଏହା ପୂର୍ବରୁ ଗତବର୍ଷ ନୂଆବର୍ଷ ଜାନୁୟାରୀରେ ଗୁଜରାଟରେ ୫୦ ହଜାର ସ୍ୱେଚ୍ଛା ସେବୀ ଏକକାଳୀନ ୧୦୮ ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କରିଥିଲେ । ମହେସାଣା ଜିଲ୍ଲାର ମୋଧେରା ସୂର୍ଯ୍ୟ ମନ୍ଦିର ଏହି ଯୋଗ ସମାରୋହ ଆୟୋଜିତ ହୋଇଥିଲା ।