ନୂଆଦିଲ୍ଲୀ: ଲୋଭରେ ବଶବର୍ତ୍ତୀ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ । ଟଙ୍କା ପାଇଁ ବାପା ଭାଇଙ୍କୁ ହତ୍ୟା କରିବାକୁ ପଛାଉ ନାହାଁନ୍ତି ଲୋକେ । କିନ୍ତୁ ମିଜୋରାମର ଜଣେ ସାଧାରଣ ଅଟୋ ଚାଳକ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି । ଆଜିବି ମଣିଷ ପଣିଆ ବଞ୍ଚିଛି ଏବଂ ଏହି ସମାଜରେ ଭଲ ଲୋକ ରହିଛନ୍ତି । ନିଜ ସଚ୍ଚୋଟତାର ପରିଚୟ ଦେଇ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଅଟୋ ଚାଳକ । ଯେଉଁଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳୁଛି । ଆମେ କହୁଛୁ ମିଜୋରାମର ଅଟୋ ଚାଳକ ଲାହମିଙ୍ଗମୁଆନାଙ୍କ କଥା । ତାଙ୍କ ଅଟୋରେ ଜଣେ ଯାତ୍ରୀ ଛାଡ଼ିଥିବା ହଜାରେ କିମ୍ବା ୨ ହଜାର ନୁହେଁ ବରଂ ୧୭ ଲକ୍ଷ ଟଙ୍କାକୁ ସେ ଫେରାଇ ନିଜ ମହାନତାର ପରିଚୟ ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ମିଆଁମାରର ଜଣେ ବ୍ୟବସାୟୀ କୌଣସି କାମରେ ଗୁରୁବାର ଦିନ ମିଜୋରାମର ଲାଙ୍ଗତଲାଇକୁ ଆସିଥିଲେ । ସେଠାରେ ଏକ ଅଟୋ ରିକ୍ସା କରି ନିଜ କାମରେ ଯାଇଥିଲେ । କିନ୍ତୁ ଅଟୋରୁ ଯିବାବେଳେ ସେ ଧରିଥିବା ଏକ ଟଙ୍କା ଭର୍ତ୍ତି ବ୍ୟାଗକୁ ଭୁଲରେ ଛାଡ଼ି ଦେଇଥିଲେ । ଯେତେବେଳେ ବ୍ୟବସାୟୀ ହୋଟେଲ ପହଁଚିଥିଲେ ସେତେବେଳେ ତାଙ୍କର ବ୍ୟାଗ କଥା ମନେ ପଡ଼ିଥିଲା ।
ହୋଟେଲ କର୍ମଚାରୀମାନେ ମଧ୍ୟ ତଲାସୀରେ ଲାଗି ପଡ଼ିଥିଲେ । କିନ୍ତୁ କିଛି ମିଳି ନ ଥିଲା । ସେପଟେ ଲାହମିଙ୍ଗମୁଆନାକୁ ଅଟୋରୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥିଲା । ସେ ପୁନର୍ବାର ସେ ହୋଟେଲକୁ ଫେରିଥିଲେ । ଅଟୋ ଚାଳକ ବ୍ୟବସାୟୀଙ୍କୁ ବ୍ୟାଗକୁ ଫେରାଇବାରେ ସେଥିରେ ୧୭ ଲକ୍ଷ ଟଙ୍କା ଥିଲା । ଯାହାକୁ ଦେଖିବା ପରେ ବ୍ୟବସାୟୀ ଜଣକ ଖୁସି ହୋଇଯାଇଥିଲେ । ବ୍ୟବସାୟୀ ଖୁସିରେ ଅଟୋ ଡ୍ରାଇଭରଙ୍କୁ କିଛି ଉପହାର ଦେବାକୁ ଚାହିଁଥିଲେ । କିନ୍ତୁ ଏଠାରେ ମଧ୍ୟ ସେ ନିଜର ସଚ୍ଚୋଟତା ଦେଖାଇଥିଲେ, ସେ କୌଣସି ଉପହାର ନେବେ ନାହିଁ ବୋଲି ମନା କରିଦେଇଥିଲେ ।
ତେବେ ଅଟୋ ଚାଳକଙ୍କ ଏପରି ମହାନ ଏବଂ ସଚ୍ଚୋଟ ପଣିଆକୁ ଚାରି ଆଡ଼ୁ ପ୍ରଶଂସା କରାଯାଉଛି ।