ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କଠୋର ହୋଇଛି । ସୁରକ୍ଷାରେ ବିଚ୍ୟୁତି ନେଇ ଏୟାର ଇଣ୍ଡିଆର ୩ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ । ସମସ୍ତ ୩ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି ।
ଏୟାର ଇଣ୍ଡିଆର ଡିଭିଜନାଲ୍ ଉପାଧ୍ୟକ୍ଷ ଚୁରାହ ସିଂ, ଅପରେସନ୍ସ ଡିରୋକ୍ଟେରର କ୍ର୍ୟୁ ସୂଚୀକରଣର ପରିଚାଳନା ମୁଖ୍ୟ ପିଙ୍କି ମିତ୍ତଲ ଏବଂ କ୍ର୍ୟୁ ସୂଚୀକରଣ ଓ ପ୍ଲାନିଂ ଦାୟିତ୍ୱରେ ଥିବା ପାୟଲ ଅରୋରାଙ୍କୁ ପଦରୁ ବହିଷ୍କୃତ କରିବାକୁ ନିର୍ଦ୍ଦେଶ ରହିଛି । ତତ୍କାଳ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇବାକୁ ଡିଜିସିଏ କହିଛି ଏବଂ ଏହାର ପରବର୍ତ୍ତୀ ରିପୋର୍ଟ ନିର୍ଦ୍ଦେଶ ଦିଆଯିବା ଦିନଠାରୁ ୧୦ ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି । ଜୁନ ୨୦ରେ ଡିଜିସିଏ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
ଫ୍ଲାଇଟ କ୍ରୁ ସିଡ୍ୟୁଲିଂ ସହ ସମ୍ବନ୍ଧିତ ତ୍ରୁଟି ବାରମ୍ବାର ଦୋହରାଯିବା ପରେ ଏୟାର ଇଣ୍ଡିଆ ତିନି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକାରୀଙ୍କ ଦ୍ୱାରା ହୋଇଥିବା ତ୍ରୁଟିରେ ବାଧ୍ୟତାମୂଳକ ଲାଇସେସିଂ, ବିଶ୍ରାମ ଓ ରିସେସିଂ ମାନଦଣ୍ଡ ପୂରା ନ କରି ବିମାନର କ୍ରୁ ସଦସ୍ୟଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଏବଂ ବିମାନ ସଞ୍ଚାଳିତ କରାଯିବା ସାମିଲ ରହିଛି ।
ଡିଜିସିଏ କହିଛି ଯେ ସମୟ ନିର୍ଦ୍ଧାରଣରେ ସଂଶୋଧନମୂଳକ ସୁଧାର ସମାପ୍ତ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଣ-କାର୍ଯ୍ୟକ୍ଷମ ଭୂମିକାରେ ପୁନଃନିଯୁକ୍ତ କରାଯିବ । କିନ୍ତୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଉଡ଼ାଣ ସୁରକ୍ଷା ଏବଂ କ୍ରୁ ଅନୁପାଳନ ଉପରେ ସିଧାସଳଖ ପ୍ରଭାବ ପକାଉଥିବା କୌଣସି ପଦବୀରେ ରହି ପାରିବେ ନାହିଁ ।
ତେବେ ଏୟାରଇଣ୍ଡିଆ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଏହି ତ୍ରୁଟି ସ୍ୱୀକାର କରିଛି । କ୍ରୁ ସୂଚୀକରଣ, ଅନୁପାଳନ ତଦାରଖ ଏବଂ ଆଭ୍ୟନ୍ତରୀଣ ଦାୟିତ୍ୱରେ ବ୍ୟବସ୍ଥିତ ବିଫଳତା ଦୁର୍ଘଟଣାର ପ୍ରମୁଖ କାରଣ ଅଟେ । ଏଭିଏସନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ ବା ବିମାନ ସମ୍ବଳ ପରିଚାଳନା ସିଷ୍ଟମ ଦ୍ୱାରା କରାଯାଇଥିବା ସମୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି ।
ଗତ ଜୁନ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ୧୭୧ ବୋଇଂ ୭୮୭ ଡ୍ରିମଲାଇନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୪୧ ଯାତ୍ରୀଙ୍କ ସମେତ ମୋଟ ୨୭୦ ଜଣଙ୍କର ମୃତ୍ୟୁ ହୋଇଛି ।