ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଗଭୀର ହେବାରେ ଲାଗିଛି।ସେଠାରେ ଫସି ରହିଥିବା ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ ସିନ୍ଧୁ ଆରମ୍ଭ କରିଛନ୍ତି। ଭାରତ ସରକାରଙ୍କ ଅପରେସନ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ୩୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଉ ଏକ ବିମାନ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ଭାରତୀୟ ନାଗରିକଙ୍କୁ ନେଇ ବିମାନଟି ଶନିବାର ସନ୍ଧ୍ୟାରେ ଇରାନର ମାଶହାଦରୁ ବାହାରିଥିଲା। ଏହା ପରେ ବିମାନଟି ଭାରତୀୟ ସମୟ ଅନୁସାରେ ଶନିବାର ଅପରାହ୍ନ ୪ଟା ୩୦ ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି।
ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେ ନେପାଳ ଏବଂ ଶ୍ରୀଲଙ୍କା ସରକାରଙ୍କ ଅନୁରୋଧ କ୍ରମେ, ଏହି ଦେଶର ନାଗରିକମାନଙ୍କୁ ମଧ୍ୟ ଅପରେସନ ସିନ୍ଧୁ ଅଧୀନରେ ଭାରତ ଅଣାଯିବ। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆର୍ଜୁ ରାଣା ଦେଉବା ଏହି ସାହାଯ୍ୟ ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହା ଭାରତ ଏବଂ ନେପାଳ ମଧ୍ୟରେ ଦୃଢ଼ ସମ୍ପର୍କର ଗଭୀରତାକୁ ଦର୍ଶାଉଛି।
ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଜୟସ୍ଵାଲ ତାଙ୍କ ପୋଷ୍ଟରେ ଇରାନରୁ ଫେରିଥିବା ଭାରତୀୟ ନାଗରିକଙ୍କ କିଛି ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ, ଭାରତରେ ପହଞ୍ଚିବା ପରେ ସମସ୍ତ ଲୋକଙ୍କ ମୁହଁରେ ଖୁସି ଏବଂ ଆଶ୍ୱସ୍ତି ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି।
ଅପରେସନ ସିନ୍ଧୁ ଅଧୀନରେ ତୁର୍କମେନିସ୍ତାନର ଆଶଗାବାତରୁ ଆଉ ଏକ ବିମାନ ଶନିବାର ଭୋର ୩ଟାରେ ୫୧୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ନୂଆଦିଲ୍ଲୀରେ ଅବତରଣ କରିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି ଯେ ଅପରେସନ ସିନ୍ଦୁର ଅଧୀନରେ ଇରାନରେ ଫସି ରହିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଘରକୁ ଫେରାଇ ଅଣାଯାଉଛି।
ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମୟରେ ଉଭୟ ଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଜୁନ ୧୮ରୁ ଅପରେସନ ସିନ୍ଧୁ ଆରମ୍ଭ କରିଥିଲା। ଏହି ଅପରେସନ ଜରିଆରେ ୧୧୦ ଜଣ ଭାରତୀୟ ନାଗରିକଙ୍କ ପ୍ରଥମ ଦଳ ଇରାନରୁ ସୁରକ୍ଷିତ ଭାବରେ ଭାରତରେ ପହଞ୍ଚିଥିଲେ।