ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଡାଇରିଆ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଡାଇରିଆ କାୟା ବିସ୍ତାର କରିବାରେ ଲାଗିଛି । କିପରି ଡାଇରିଆକୁ ପ୍ରତିହତ କରିହେବ ସେନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଡାଇରିଆ ସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଡାଇରିଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ବିଭିନ୍ନ ସଚେତନ ମୂଳକ ପଦକ୍ଷେପ ପରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ହେବା ସହିତ ନୂତନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତଥାପି ମୁଖ୍ୟମନ୍ତ୍ରୀ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଦଶହରା ପର୍ଯ୍ୟନ୍ତ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ସମନ୍ଵୟ ରଖିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ବିଷୟ ଉପରେ ଗୁରୁତ୍ଵ ଦିଆଯିବ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ଓ ବିଶୁଦ୍ଧ ପାନୀୟ ଜଳ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶହରା ପର୍ଯ୍ୟନ୍ତ ସତର୍କତାର ସହିତ ରହିବ ପାଇଁ କୁହାଯାଇଛି । ସମସ୍ତ ପ୍ରଭାବିତ ଜିଲ୍ଲାରେ ଜନସଚେତନତା ଏବଂ ପ୍ରତିରୋଧକ ବ୍ୟବସ୍ଥା ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସଂପୂର୍ଣ୍ଣ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟ୍ରିଟ୍ ଫୁଡ୍ ବିକ୍ରି ହେଉଥିବା ସ୍ଥାନରେ ଖାଦ୍ୟର କଡ଼ାକଡ଼ି ଯାଞ୍ଚ କରାଯିବା ସହିତ ଉକ୍ତ ଅଞ୍ଚଳରେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଦରକାର। ଗାଁ ମାନଙ୍କରେ ପିଇବା ପାଣି ସହିତ କିପରି ପରିବେଶ ସ୍ୱଚ୍ଛ ରହିବ ସେନେଇ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇଥିଲେ । ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍ଜି ମହିଳାମାନେ ଏନେଇ ଲୋକମାନଙ୍କୁ ସତର୍କ କରାଇବେ ।
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ସୁରକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ।