ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ଆଉ ପୁନଃକାର୍ଯ୍ୟକ୍ଷମ ହେବ ନାହିଁ । ଅନ୍ୟାୟ ଭାବରେ ପାଣି ନେଉଥିବା ପାକିସ୍ତାନ ଭୋକରେ ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
କେନ୍ଦ୍ର ମନ୍ତ୍ରୀ ଶାହଙ୍କୁ ଏକ କାର୍ଯ୍ୟକ୍ରମରେ ଯେତେବେଳେ ୬ ଦଶନ୍ଧିର ପୁରୁଣା ଚୁକ୍ତି ବିଷୟରେ ପଚରାଯାଇଥିଲା ସେତେବେଳେ ଉତ୍ତର ରଖିଥିଲେ, କେବେବି ଏହା ପୁନଃଅବସ୍ଥାପିତ ହେବ ନାହିଁ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତି ଭବିଷ୍ୟତରେ କାର୍ଯ୍ୟକ୍ଷମ ହେବ ନାହିଁ । ସିନ୍ଧୁ ନଦୀ ଜଳକୁ ଆମ ଦେଶରେ ବ୍ୟବହାର କରିବ ଭାରତ । ଏକ କେନାଲ ମାଧ୍ୟମରେ ପାକିସ୍ତାନକୁ ଯାଉଥିବା ପାଣି ରାଜସ୍ତାନରେ ପ୍ରବାହିତ ହେବ । ଅନ୍ୟାୟ ଭାବରେ ପାଣି ନେଉଥିବା ପାକିସ୍ତାନ ବ୍ୟାକୁଳ ହେବ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଶାହ ।
୧୯୬୦ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତି ଅନୁଯାୟୀ ପାକିସ୍ତାନରେ ସିନ୍ଧୁ ଜଳ ପ୍ରବାହିତ ହେଉଥିଲା । ସିନ୍ଧୁ ପାକିସ୍ତାନର ଜୀବନ ରେଖା ବୋଲି କୁହାଯାଏ, କାରଣ ସେଠାକାର ୮୦ ପ୍ରତିଶତ ଲୋକେ ଏହି ନଦୀ ଉପରେ ନିର୍ଭରଶୀଳ । କିନ୍ତୁ ଅପ୍ରେଲ ୨୨ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ରଦ୍ଦ କରିଥିଲା ।