ନୂଆଦିଲ୍ଲୀ: ତାମିଲନାଡୁର ରାଜ୍ୟପାଳ ଆରଏନ ରବି ୧୧ତମ ଅନ୍ତର୍ଜାତୀୟ ଯୋ ଦିବସରେ ନିଜର ଶାରୀରିକ ଫିଟନେସ୍ ଓ ଏନର୍ଜିରେ ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ଶନିବାର ସକାଳେ ମଦୁରାଇରେ ଭେଲମ୍ମାଲ ଏଜୁକେଶନ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ ଭବ୍ୟ ଯୋଗ ସମାରୋହରେ ୭୩ ବର୍ଷୀୟ ରାଜ୍ୟପାଳ କେବଳ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ କରି ନାହାନ୍ତି ବରଂ ୫୧ ପୁସ ଅପ୍ସ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ଯୋଗ ସମାରୋହରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ରାଜ୍ୟପାଳ ରବି ପୂର୍ବରୁ ଆଇପିଏସ ଅଧିକାରୀ ଥିଲେ । ସେ ଯୋଗ ଦିବସରେ ପାରମ୍ପରିକ ପୋଷାକ ଛାଡି ଟ୍ରାକସୁଟ ଓ ବ୍ୟାନିଅନ ପିନ୍ଧି ସାମିଲ ହୋଇଥିଲେ । ଯୋଗ ସମାରୋହ ଶେଷରେ ସେ ଥରୁକରେ ୫୧ ପୁଶ ଅପ୍ସ ମାରି ସଭିଙ୍କୁ ଚକିତ କରିଛନ୍ତି । ଏହି ଦର୍ଶକ ତାଳି ମାରି ଉତ୍ସାହପୂର୍ବକ ତାଙ୍କୁ ସମର୍ଥନ କରିଥିଲେ ଏବଂ ପରିଣତି ବୟସରେ ଏହି ଉପଲବ୍ଧିକୁ ସ୍ୱାଗତ କରିଥିଲେ । ଅନେକ ଦର୍ଶକ ଏହା ବିଶ୍ୱାସ କରି ପାରୁ ନାହାନ୍ତି ଯେ, ୭୦ରୁ ଅଧିକ ବୟସରେ ବି ଜଣେ ବ୍ୟକ୍ତି ଏମିତି ଶକ୍ତି ଧାରଣ କରିପାରିବେ ।
ଏହା ପୂର୍ବରୁ ସମାରୋହକୁ ସମ୍ବୋଧିତ କରି ରାଜ୍ୟପାଳ ରବି କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ ବରଂ ଏହା ଆତ୍ମ ସଚେତନ, ମାନସିକ ସ୍ପଷ୍ଟତା, ଭାବନାତ୍ମକ ସନ୍ତୁଳନ ଓ ଆଧ୍ୟାତ୍ମିକ ବିକାଶର ମାର୍ଗ । ଏହା ଭାରତର ବିଶ୍ୱକୁ ଏକ ଅମୂଲ୍ୟ ଉପହାର । ସେ କହିଛନ୍ତି, ୨୦୧୫ରେ ଭାରତର ପ୍ରୟାସକୁ ସମ୍ମାନ ଜଣାଇ ମିଳିତ ଜାତିସଂଘ ଜୁନ ୨୧କୁ ବିଶ୍ୱ ଯୋଗ ଦିବସର ମାନ୍ୟତା ଦେଇଛି । ତେବେଠୁ ସାରା ଦୁନିଆରେ ଯୋଗ ପ୍ରତି ଲୋକଙ୍କ ଉତ୍ସାହ ବଢିବାରେ ଲାଗିଛି ।