ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସ ଆରମ୍ଭରେ ଆଫ୍ରିକା, ଲାଟିନ ଆମେରିକା ଓ ପଶ୍ଚିମ ଏସିଆର ପାଞ୍ଚ ଦେଶ ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦୀ ମୋରକ୍କୋ, ଆର୍ଜେଣ୍ଟିନା, ବ୍ରାଜିଲ, ତ୍ରିନିଦାଦ ଓ ଟୋବାଗୋ ଓ ଜୋର୍ଡାନ ଗସ୍ତ କରି ପାରନ୍ତି । ବିଶ୍ୱରେ ଭାରତର ନେତୃତ୍ୱ ଭୂମିକାକୁ ମଜବୁତ କରିବା ଉଦ୍ଦେଶ୍ୟରେ ପିଏମ ମୋଦୀ ଗ୍ଲୋବାଲ ସାଉଥରେ ଏହି ଗସ୍ତ କରିବାକୁ ଯାଉଛନ୍ତି । ଗ୍ଲୋବାଲ ସାଉଥର ଅର୍ଥର ବ୍ୟବହାର ସାଧାରଣତଃ ଆର୍ଥିକ ଭାବେ କମ ବିକଶିତ ଦେଶ ସଂଦର୍ଭରେ କରାଯାଏ ।
ମୋରକ୍କୋ
ଏହି ବହୁପ୍ରତୀକ୍ଷିତ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋରକ୍କୋ ଯିବା ପ୍ରାୟତଃ ନିଶ୍ଚିତ ହୋଇଛି । ମୋରକ୍କୋର ରାଜା ମହମ୍ମଦ ଷଷ୍ଠଙ୍କ ରାବାତାରେ ବୈଠକ କରିବେ । ଗତ କିଛି ବର୍ଷ ଏହି ଯାତ୍ରା ଚର୍ଚ୍ଚାରେ ରହି ଆସିଛି । ମାତ୍ର ମୋଦୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଯୋଗୁଁ ଏହାକୁ ଅନ୍ତିମ ରୂପ ଦିଆଯାଇ ପାରି ନ ଥିଲା । ମୋରକ୍କୋ ଏକ ବିକାଶଶୀଳ ପ୍ରମୁଖ ଆରବ ରାଷ୍ଟ୍ର, ଯାହାର ପଶ୍ଚିମ ଆଫ୍ରିକା ଓ ଦକ୍ଷିଣ ୟରୋପରେ ସ୍ଥିତି ମଜବୁତ ରହିଛି । ଉତ୍ତର ଆଫ୍ରିକାରେ ଏହା ଏକ ମହତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ସାମ୍ନାକୁ ଆସିଛି ।
ଆର୍ଜେଣ୍ଟିନା
ମୋରକ୍କୋ ପରେ ପିଏମ ମୋଦୀ ଆର୍ଜେଣ୍ଟିନା ଯାତ୍ରା କରିବେ । ଏହି ଦେଶ ମହତ୍ୱପୂର୍ଣ୍ଣ ଖଣିଜ ସଂପଦ, ଖାଦ୍ୟ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ମହତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର । ବ୍ୟୁନଓ ଆର୍ଯ୍ୟସରେ ହେବାକୁ ଥିବା ଏହି ସାକ୍ଷାତରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ କୃଷି, ପ୍ରତିରକ୍ଷା ଓ ଯୋଗାଯୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କକୁ ବିସ୍ତାର ଦେବାର ସମ୍ଭାବନା ରହିଛି । ଏହି ଯାତ୍ରା ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତର ରଣନୈତିକ ସ୍ଥିତିକୁ ଆହୁରି ମଜବୁତ କରିବ ।
ବ୍ରାଜିଲ
ଜୁଲାଇ ୬ରୁ ୭ରେ ବ୍ରାଜିଲର ରାଜଧାନୀ ରିୟୋ ଡି ଜେନେରିୟୋରେ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେବ । ଏଥିରେ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମ୍ମିଳନୀରେ ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ୟୁଏଇ, ଇଜିପ୍ଟ ଓ ଇଥିଓପିଆ ପରି ଦେଶର ସର୍ବୋଚ୍ଚ ନେତାଙ୍କ ସହ ସାକ୍ଷାତ କରିବେ ପିଏମ ମୋଦୀ । ଏହା ସହିତ କାଜାକିସ୍ତାନ, ଉଜବେକିସ୍ତାନ, ଭିଏତନାମ ଓ ନାଇଜେରିଆ ପରି ବ୍ରିକ୍ସ ଭାଗିଦାରୀ ଦେଶର ନେତାଙ୍କୁ ମଧ୍ୟ ମୋଦୀଙ୍କ ଭେଟ ହୋଇପାରେ ।
ତ୍ରିନିଦାଦ ଓ ଟୋବାଗୋ
ପିଏମ ମୋଦୀଙ୍କ ଯାତ୍ରାର ପରବର୍ତ୍ତୀ ଦେଶ ହେଉଛି ତ୍ରିନିଦାଦ ଓ ଟୋବାଗୋ । ଏଠାରେ ଭାରତୀୟ ଡାୟସ୍ପୋରା ସହିତ ଆଲୋଚନା କରିବେ । ଏହି ଦେଶ କାରବିଆଇ କ୍ଷେତ୍ରରେ ଭାରତ ପାଇଁ ମହତ୍ୱପୂର୍ଣ୍ଣ । ଏଠାରେ ଅଧିକ ସଂଖ୍ୟାରେ ଭାରତର ମୂଳ ନିବାସୀ ବସବାସ କରନ୍ତି । ଏହି କାରଣରୁ ତ୍ରିନିଦାଦ ଓ ଟୋବାଗୋ ସହିତ ଭାରତର ସାଂସ୍କୃତିକ ଓ ଆର୍ଥିକ ସମ୍ବନ୍ଧକୁ ମଜବୁତ ମିଳିବ ।
ଜୋର୍ଡାନ
ପିଏମ ମୋଦୀଙ୍କ ଯାତ୍ରାର ଅନ୍ତିମ ଦେଶ ହେଉଛି ଜୋର୍ଡାନ । ଏହି ସମୟରେ ମୋଦୀ ଜୋର୍ଡାନ ସହ କ୍ଷେତ୍ରୀୟ ସୁରକ୍ଷା ଓ ଆତଙ୍କବାଦ ବିରୋଧରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିବେ । ଏହି ଗସ୍ତ ପଶ୍ଚିମ ଏସିଆରେ ଭାରତର ରଣନୈତିକ ଉପସ୍ଥିତିକୁ ପ୍ରୋତ୍ସାହନ ଦେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ସେହି ସମୟରେ ହେଉଛି ଯେତେବେଳେ ଭାରତ ବୈଶ୍ୱିକ ମଞ୍ଚରେ ଦକ୍ଷିଣ ଦେଶର ସ୍ୱର ଭାବେ ସାମ୍ନାକୁ ଆସିଛି । ଏହା ବ୍ୟତୀତ ନିକଟରେ ପହଲଗାମ ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦ ବିରୋଧରେ ଏକ ବ୍ୟାପକ ବୈଶ୍ୱିକ ଅଭିଯାନର ରୂପ ରେଖା ପ୍ରସ୍ତୁତ କରୁଛି ।