ନୂଆଦିଲ୍ଲୀ: ନ୍ୟାୟାଧୀଶ ଭୂଷଣ ରାମକୃଷ୍ଣ ଗବାଇ ଦେଶର ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ବି ଆର ଗବାଇଙ୍କ ନାମ ଆଇନ ମନ୍ତ୍ରଣାଳୟକୁ ବୁଧବାର ସୁପାରିଶ କରିଛନ୍ତି । ସେ ମେ ୧୪ ତାରିଖରେ ୫୨ତମ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ ।
ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା କାର୍ଯ୍ୟକାଳ ମେ ୧୩ରେ ଶେଷ ହେବାକୁ ଯାଉଛି । ତାଙ୍କ ପରେ ବି ଆର ଗବାଇ ଏହି ଦାୟିତ୍ୱ ଗ୍ରହଣ କରିବେ । ସେ ଦେଶର ଦ୍ୱିତୀୟ ଦଳିତ ଭାବରେ ସିଜେଆଇ ପଦ ଗ୍ରହଣ କରିବାକୁ ଯାଉଛନ୍ତି । ୨୦୦୭ରେ କେ ଜି ବାଲକ୍ରୀଷ୍ଣ ପ୍ରଥମ ଦଳିତ ପ୍ରଧାନ ବିଚାରପତି ଥିଲେ । ୨୦୨୫, ନଭେମ୍ବର ୨୪ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।
ବିଚାରପତି ବିଆର୍. ଗବାଇ ୧୯୬୦, ନଭେମ୍ବର ୨୪ ତାରିଖରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଖ୍ୟାତ ରାଜନୀତିଜ୍ଞ ତଥା ପୂର୍ବତନ ସାଂସଦ ରାମକ୍ରୀଷ୍ଣ ଗବାଇ ପୁଅ । ସେ ୧୯୮୫, ମାର୍ଚ୍ଚ ୧୬ ତାରିଖରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ୨୦୦୩, ନଭେମ୍ବର ୧୪ ତାରିଖରେ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୫, ନଭେମ୍ବର ୧୨ ତାରିଖରେ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ଦୀର୍ଘ ୧୬ ବର୍ଷ ଧରି ବମ୍ବେ ହାଇକୋର୍ଟରେ ବିଚାରପତିଭାବେ ନିଜ ଦାୟିତ୍ୱ ତୁଲାଇଛନ୍ତି ।
୨୦୧୯, ମେ ୨୪ ତାରିଖରେ ସୁପ୍ରିମକୋର୍ଟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଧାରା ୩୭୦ ଉଚ୍ଛେଦ, ଇଲେକ୍ଟ୍ରୋରାଲ ବଣ୍ଡ୍, ନୋଟବନ୍ଦୀ ଓ ଅନୁସୂଚିତ ଜାତିର ଉପଜାତି ଭଳି ଗୁରୁତ୍ୱ ପୂର୍ଣ୍ଣ ମାମଲାରେ ସେ ବିଚାରପତିଭାବେ କାର୍ୟ୍ୟକରିଛନ୍ତି ।