ଅମରାବତୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡ୍ରିଂର ଏକ ପୁରୁଣା ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ଜଗନଙ୍କ ୨୭.୫ କୋଟି ଟଙ୍କାର ସେୟାର ଓ ଡାଲମିଆ ସିମେଣ୍ଟ(ଭାରତ) ଲିମିଟେଡ(ଡିସିବିଏଲ)ର ୩୭୭.୨ କୋଟି ଟଙ୍କାର ଜମିକୁ ଅସ୍ଥାୟୀ ଭାବେ ଆଟାଚ କରିଛି । କିନ୍ତୁ ଡିସିବିଏଲ ଦାବି କରିଛି ଯେ, ଆଟାଚ୍ କରାଯାଇଥିବା ସଂପତ୍ତିର ମୋଟ୍ ମୂଲ୍ୟ ୭୯୩.୩ କୋଟି ଟଙ୍କା ହେବ ।
ସିବିଆଇ କେସ ସହ ଜଡିତ ୨୦୧୧ରେ ରୁଜୁ ଏକ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଅଭିଯୋଗ ହୋଇଛି ଡାଲମିଆ ସିମେଣ୍ଟ ଭାରତୀ ସିମେଣ୍ଟ କର୍ପୋରେସନ ପ୍ରାଇଭେଟ୍ ଲିମିଟେଡରେ ନିବେଶ କରିଥିଲା, ଯାହା ଜଗନ ରେଡ୍ଡୀଙ୍କ ସହ ଜଡିତ । ଇଡି ଦ୍ୱାରା ଆଟାଚ୍ କରାଯାଇଥିବା ସେୟାର କାର୍ମେଲ ଏସିଆ ହୋଲ୍ଡିଙ୍ଗ ଲିିମିଟେଡ, ସରସ୍ୱତୀ ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ୍ ଲିମିଟେଡ ସହ ମଧ୍ୟ ଜଡିତ ରହିଛି ।
ଇଡି ଅନୁଯାୟୀ, ଡିସିବିଏଲ ରଘୁରାମ ଲିମିଟେଡରେ ୯୫ କୋଟି ଟଙ୍କା ନିବେଶ କରିଥିଲା, ଯାହାର ମାଲିକାନା ଜଗନ ରେଡ୍ଡୀଙ୍କ ପାଖରେ ରହିଛି । ଏହାରି ବଦଳରେ ନିଜର ପିତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ ପ୍ରଭାବର ଉପଯୋଗ କରି ଜଗନ କଡା ଜିଲ୍ଲାରେ ୪୦୭ ହେକ୍ଟର ଜମିର ମାଇନିଙ୍ଗ ଲିଜ ଡିସିବିଏଲ ନାଁରେ କରାଇଥିଲେ ।
ଇଡି ଓ ସିବିଆଇ ଅନୁସାରେ, ୱାଇଏସ ଜଗନ ରେଡ୍ଡୀ, ପୂର୍ବତନ ସାଂସଦ ବିଜୟ ସାଇ ରେଡ୍ଡୀ ଓ ଡିସିବିଏଲର ପୁନିତ ଡାଲମିଆଙ୍କ ମଧ୍ୟରେ ହୋଇଥିବା ରାଜିନାମା ଆଧାରରେ ରଘୁରାମ ସିମେଣ୍ଟ ଲିମିଟେଡର ସେୟାର ଏକ ଫ୍ରାନସିସ କମ୍ପାନି ପାରଫିସିମକୁ ୧୩୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ଏଥିରୁ ୫୫ କୋଟି ଟଙ୍କା ୨୦୧୦ ମେରୁ ୨୦୧୧ ଜୁନ ମଧ୍ୟରେ ଜଗନଙ୍କୁ ଦିଆଯାଇଥିଲା । ଦିଲ୍ଲୀ ସ୍ଥିତ ଆୟକର ବିଭାଗ ଦ୍ୱାରା ଜବତ କାଗଜପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।