ନୂଆଦିଲ୍ଲୀ: ବୁହ ଚର୍ଚ୍ଚିତ ଆସାମର ଲୋକପ୍ରିୟା ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦଳ ଶୁକ୍ରବାର ଅଦାଲତଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଛି । ତଥାପି ଜୁବିନଙ୍କ ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ । ଏହା ଆକସ୍ମିକ ମୃତ୍ୟୁ, ନା ହତ୍ୟା, ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ ।
ଏସଆଇଟିର ମୁଖ୍ୟ ତଥା ସିଆଇଡି ଡିଜି ମୁନ୍ନା ପ୍ରସାଦ ଗୁପ୍ତା ଆଜି କାମ୍ରୁପ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ନିକଟରେ ସାଢ଼େ ତିନି ହଜାର ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛନ୍ତି । ପ୍ରାୟ ୪ଟି ଆଟାଚ୍ ଭର୍ତ୍ତି ଚାର୍ଜସିଟକୁ ପୂର୍ବାହ୍ନ ୧୧ଟା ୨୦ ମିନିଟ୍ ସମୟରେ କୋର୍ଟକୁ ଦେଇଛନ୍ତି । ମୃତ୍ୟୁ ତିନି ମାସ ମଧ୍ୟରେ ଏସଆଇଟି ଚାର୍ଜସିଟ୍ ଦାଖଲ କରିଛି ।
ଏହି ମାମଲାରେ ଏସଆଇଟି ୭ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଜୁବିନଙ୍କ ମ୍ୟାନେଜର, ତାଙ୍କ ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ସିଙ୍ଗାପୁର ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତ, ତାଙ୍କ ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ୱାମୀ ଏବଂ ଅମ୍ରିତ ପ୍ରଭା ମହାନ୍ତ, ତାଙ୍କ ସମ୍ପର୍କୀୟ ଭାଇ, ଆସାମ ପୋଲିସ ଡିଏସ୍ପି ସନ୍ଦିପାନ ଗର୍ଗ ଏବଂ ତାଙ୍କର ଦୁଇ ପିଏସ୍ଓ ନନ୍ଦେଶ୍ୱର ବୋରା ଏବଂ ପ୍ରବୀଣ ବୈଶ୍ୟ ଅନ୍ତର୍ଭୁକ୍ତ । ୩୦୦ରୁ ଅଧିକ ବ୍ୟକ୍ତିଙ୍କୁ ତଦନ୍ତବେଳେ ଜେରା କରିଛି ଏସଆଇଟି ।
ଉଲ୍ଲେଖ ଯୋଗ୍ୟ, ଉତ୍ତର-ପୂର୍ବ ଭାରତ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଜୁବୀନ ଗର୍ଗ ସିଙ୍ଗାପୁର ଯାଇଥିଲେ । ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଏହା ହତ୍ୟା ନା ଅଘଟଣ ତାହା ସ୍ପଷ୍ଟ କରିହାକୁ ତାଙ୍କର ଦୁଇ ଦୁଇ ଥର ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଧାନସଭା ଅଧିବେଶନରେ ଏ ସମ୍ପର୍କିତ ଆଲୋଚନା ବେଳେ ସ୍ପଷ୍ଟ ଭାବରେ କହିଥିଲେ ।