ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୟୂର ବିହାର ଫେଜ ୨ରେ ସ୍ଥିତ ତିନୋଟି ମନ୍ଦିର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇବା ଦାବିରେ ଦାଖଲ ଆବେଦନକୁ ଖାରଜ କରି ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି ।
ସୂଚନା ଅନୁଯାୟୀ, ମୟୂର ବିହାର ଫେଜ-୨ରେ ଥିବା ତିନୋଟି ମନ୍ଦିର ହଟାଇବା ପାଇଁ ଡିଡିଏର କର୍ମଚାରୀ ପହଞ୍ଚିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ବିରୋଧ କରିବା ସହ ହଙ୍ଗାମା କରିଥିଲେ । ଯାହା ପରେ ଡିଡିଏକୁ ପଛଘୁଞ୍ଚା ଦେବାକୁ ପଡିଥିଲା । ମୟୂର ବିହାର ଫେଜ ୨ରେ ତିନୋଟି ମନ୍ଦିର ରହିଛି । ପୂର୍ବ ଦିଲ୍ଲୀ କାଲି ବାଡି ସମିତି, ଶ୍ରୀ ଅମରନାଥ ମନ୍ଦିର ସଂସ୍ଥା ଓ ଶ୍ରୀ ବଦ୍ରିନାଥ ମନ୍ଦିର । ଏହି ତିନି ମନ୍ଦିରର ସମିତି ସୁପ୍ରିମକୋର୍ଟରେ ଦିଲ୍ଲୀ ବିକାଶ ପ୍ରାଧିକରଣ(ଡିଡିଏ)ର ୨୦୨୫ ମାର୍ଚ୍ଚ ୧୯ରେ ଜାରି ମନ୍ଦିର ଭଙ୍ଗା ନୋଟିସକୁ ଚ୍ୟାଲେଞ୍ଜ କରିଛନ୍ତି । ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କ ମାଧ୍ୟମରେ ଦାୟର ଯାଚିକାରେ କୁହାଯାଇଛି ଯେ, ଅଧିକାରୀ ବୁଧବାର ରାତି ୯ଟାରେ ସାର୍ବଜନୀନ ନୋଟିସ୍ ଲଗାଇଲା ଏବଂ ଅବଗତ କରାଇଲେ ଯେ, ମାର୍ଚ୍ଚ ୨୦ ଭୋର ୪ଟାରେ ମନ୍ଦିର ଭଙ୍ଗାଯିବ ।
ଓକିଲ ବିଷ୍ଣୁ ଶର୍ମା ଜୈନ ଯାଚିକାରେ କହିଛନ୍ତି ଯେ, ଡିଡିଏ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମନ୍ଦିର କମିଟିକୁ ଶୁଣାଣିର ସୁଯୋଗ ଦେଇ ନାହିଁ । ଏହି ମନ୍ଦିର ୩୫ ବର୍ଷ ପୁରୁଣା । କିନ୍ତୁ ସୁପ୍ରିମକୋର୍ଟ ମନ୍ଦିର ସମିତି ପକ୍ଷରୁ ଦାୟର ଯାଚିକା ଉପରେ ବିଚାର କରିବାକୁ ମନା କରିବା ସହିତ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯିବାକୁ କହିଛନ୍ତି । ମୟୂର ବିହାର ଫେଜ-୨ ପହଞ୍ଚିଥିବା ଡିଡିଏର ଅଧିକାରୀଙ୍କୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ପ୍ରଦର୍ଶନର ସାମ୍ନା କରିବାକୁ ପଡିଥିଲା ।