ଗୁଇନ୍ଦା ସଂସ୍ଥାକୁ ବଡ ସଫଳତା । ଗୁରୁବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ବେଙ୍ଗାଲୁରୁରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଜଣେ ଭାରତୀୟ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL)ର ଜଣେ ବରିଷ୍ଠ ଇଞ୍ଜିନିୟର ଦୀପରାଜ ଚନ୍ଦ୍ରନ। କେନ୍ଦ୍ର, ରାଜ୍ୟ ଏବଂ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାଗୁଡ଼ିକର ମିଳିତ ଅଭିଯାନରେ ତାଙ୍କୁ ଗିରଫ କରିଛି ।
ବିଟକଏନ୍ ପେମେଣ୍ଟ ବିନିମୟରେ ପାକିସ୍ତାନକୁ ସମ୍ବେଦନଶୀଳ ପ୍ରତିରକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍ କରିବା ଅଭିଯୋଗରେ ଦୀପରାଜ ଚନ୍ଦ୍ରନଙ୍କୁ ଗିରଫ କରାଯାଇଛି । ସେ ଉତ୍ତରପ୍ରଦେଶ ଗାଜିଆବାଦର ବାସିନ୍ଦା । ତେବେ ସେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ପାକିସ୍ତାନୀ କାର୍ଯ୍ୟକର୍ତ୍ତାମାନଙ୍କୁ ଲିକ୍ କରୁଥିଲେ ।
ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ହେଉଛି, ଏକ ଭାରତୀୟ ସାର୍ବଜନୀନ କ୍ଷେତ୍ରର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ କମ୍ପାନୀ । ଯାହାର ମୁଖ୍ୟାଳୟ ବେଙ୍ଗାଲୁରୁରେ ରହିଛି । ଏହା ମୁଖ୍ୟତଃ ଭୂମି ଏବଂ ଏରୋସ୍ପେସ୍ ପ୍ରୟୋଗ ପାଇଁ ଉନ୍ନତ ଇଲେକ୍ଟ୍ରୋନିକ୍ ଉତ୍ପାଦ ନିର୍ମାଣ କରିଥାଏ । ଆଉ ଏଥିରେ କାର୍ଯ୍ୟକାରୀ ହେଉଥିବା ଉତ୍ପାଦନ ପ୍ରଣାଳୀ, ଅଫିସ୍ ଲେଆଉଟ୍ ଏବଂ ବରିଷ୍ଠ ଅଧିକାରୀମାନଙ୍କ ବିବରଣୀ ପରି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ପାକିସ୍ତାନୀ କାର୍ଯ୍ୟକର୍ତ୍ତାମାନଙ୍କୁ ଦେଇଚାଲିଥିଲା ଚନ୍ଦ୍ରନ୍ । କାଳେ ଧରାପଡିଯିବ ସେଥିପାଇଁ, ଚନ୍ଦ୍ରନ୍ ସିଧାସଳଖ ଇମେଲ୍ ପଠାଇବା ପରିବର୍ତ୍ତେ ଲଗ୍-ଇନ୍ କ୍ରେଡେନ୍ସିଆଲ୍ସ ସେୟାର କରୁଥିଲା । ଯାହା ଦ୍ୱାରା ପାକିସ୍ତାନର କାର୍ଯ୍ୟକର୍ତ୍ତାମାନେ ଇମେଲ୍ ଡ୍ରାଫ୍ଟରେ ରଖାଯାଇଥିବା ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିପାରିବେ । ତେବେ ଏନେଇ ବର୍ତ୍ତମାନ ଅଧିକ ତଦନ୍ତ ଚଳାଇଛି ଗୁଇନ୍ଦା ସଂସ୍ଥା ।