ଭୁବନେଶ୍ବର : ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ାରେ ସମୟ ପରିବର୍ତ୍ତନ କରାଯାଇଛି। ଆସନ୍ତାକାଲି ଠାରୁ ବିଦ୍ୟାଳୟଗୁଡ଼ିକରେ ସକାଳୁଆ ପାଠ ପଢ଼ା ହେବ। ଛାତ୍ରଛାତ୍ରୀମାନେ ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ କରିବେ। ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମକୁ ତତକ୍ଷଣାତ୍ ଲାଗୁ ନେଇ ସମସ୍ତ ଜିଲାପାଳମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରାଇବା ପାଇଁ ମନା କରାଯାଇଛି । ଏତଦ୍ ବ୍ୟତୀତ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ । ଆଗକୁ ଯଦି ତାତି ବଢେ ତେବେ ଅଙ୍ଗନବାଡି ଛୁଟି କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ଏହି ସୂଚନା ଦେଇଥିଲେ । ଦିନ ୧୧ଟାରୁ ୫ଟା ଏବଂ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେବନାହିଁ।
ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢି ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରି ପାର କରିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସବୁ ନିଷ୍ପତ୍ତି ନେଇଛନ୍ତି।