ଢେଙ୍କାନାଳ: ସରପଞ୍ଚଙ୍କ ହାତରେ ପଡିଲା ହାତ କଡ଼ି। ବନ୍ଧା ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ। ସିଏଫସି ଫଣ୍ଡ ଟଙ୍କା ହଡପ ଅଭିଯୋଗରେ ସରପଞ୍ଚଙ୍କୁ ବାନ୍ଧିଛି ପୋଲିସ। ୭ଟି ଚେକରେ ୩୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଚଳୁ କରି ଦେଉଛନ୍ତି ସରପଞ୍ଚ ମକର ଚାନ୍ଦ ସାହୁ। ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ବିଡ଼ିଓ ସୌଭାଗ୍ୟ କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ଟିମ ତଦନ୍ତ କରିଥିଲେ । ଯାହାକୁ ନେଇ ଓଡିଶା ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି। ବିନା କାମରେ, ବିନା ଦସ୍ତାବିଜରେ ମନ ଇଚ୍ଛା ଟଙ୍କା ଉଠାଇବା ଏବଂ ଏ ନେଇ ନୂତନ ଭାବେ ନିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ କୌଣସି ତଥ୍ୟ କିମ୍ବା ହିସାବ ନଦେବା ସନ୍ଦେହ ସୃଷ୍ଟି କରିଥିଲା। ଯାହାକୁ ନେଇ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ କାମାକ୍ଷାନଗର ମୁଣ୍ଡିଦେଉଳୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ସମ୍ପୂର୍ଣ୍ଣ ବିବରଣୀ ମିଳିଥିଲା। ଯାହାକୁ ନେଇ ତନାଘନା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।