ମୟୂରଭଞ୍ଜ : କାଳ ବୈଶାଖୀର କରାଳ ରୂପ। ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ବିଶେଷକରି କରଞ୍ଜିଆ, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଓ ବାରିପଦା ବ୍ଲକରେ ବର୍ଷା ସହ କୁଆପଥର ମାଡ ହୋଇଛି । ଗୋଟେ ଗୋଟେ କୁଆପଥରର ଓଜନ ୨୫୦-୫୦୦ଗ୍ରାମ ପାଖାପାଖି ହୋଇଥିବା ଜଣାପଡିଛି ।
ଏହାସହ କୁଆପଥର ମାଡ଼ରେ ରାଜା ନାମକ ଏକ ଘରୋଇ ବସଟି ବାରିପଦାରୁ ବିଶୋଇ ଅଭିମୁଖେ ଯାଉଥିବା ସମୟରେ ବିଶୋଇ ଛକ ନିକଟରେ କାଳ ବୈଶାଖୀର ଶିକାର ହୋଇଥିଲା। ଫଳରେ ବଡ଼ ବଡ଼ କୁଆପଥର ମାଡ଼ରେ ବସର କାଚ ଭାଙ୍ଗି ଯାଇଥିଲା ଓ ଭିତରେ ଥିବା ଯାତ୍ରୀ ଆହତ ହୋଇଥିଲେ।
ଖାଲି ସେତିକି ନୁହେଁ କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି । ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଂଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି ।
ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳ ବୈଶାଖୀ ସମ୍ଭାବନା ରହିଥିବା ବେଳେ ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।