ଭୁୁବନେଶ୍ୱର : ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ହିତାଧିକାରୀଙ୍କୁ ରାସନ ସାମଗ୍ରୀ ସକାଳ ୭ଟାରୁ ୧୦ଟା ଏବଂ ସନ୍ଧ୍ୟା ୫ଟାରୁ ୮ଟା ଯାଏଁ ବଣ୍ଟନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି । ଖରା ଦାଉରୁ ରକ୍ଷା ପାଇବା ପାଇଁ ହିତାଧିକାରୀ ମାନଙ୍କ ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓଆରଏସ ମହଜୁଦ ଭଳି ବ୍ୟାପକ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିଭଳି ଚାଉଳ ଉଠାଣ ଓ ବିତରଣ କେନ୍ଦ୍ର ଗୁଡିକରେ ନିୟୋଜିତ ଶ୍ରମିକ ମାନଙ୍କ ପାଇଁ ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି । ହିତାଧିକାରୀ ଏବଂ ନିୟୋଜିତ ଶ୍ରମିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଏବଂ ଚାଉଳ ବିତରଣ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ସୂଚନା ପତ୍ର ବଣ୍ଟନ ଓ ପୋଷ୍ଟର ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।