ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ ପାରଦ। ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି। ତେବେ ଆଗାମୀ ୩ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ହିଟ୍ ୱେଭ୍ ୱାର୍ଣ୍ଣିଂ । ଆଗାମୀ ୩ ଦିନ ରାତି ସମେତ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଆସନ୍ତାକାଲି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିପାରେ।
ଆଜି ଝାରସୁଗୁଡ଼ା ରାଜ୍ଯର ସବୁଠାରୁ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟ ସହର ଗୁଡିକ ମଧ୍ଯରେ ରେକର୍ଡ ହୋଇଥିବା ତାପମାତ୍ରା ରହିଛି ହୀରାକୁଦ ୪୦.୧ ଡିଗ୍ରୀ, ସମ୍ବଲପୁର ୪୦, ରାଉରକେଲା ୩୯.୪ ଡିଗ୍ରୀ, ଚାନ୍ଦବାଲି ୩୮.୮, ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି, ଯାହା ଫଳରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା ଉପରେ ରହିବ। ସେହିପରି ୨୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖ ପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। ୩୦ ତାରିଖ ପରେ ତାପମାତ୍ରା ୨ ଡିଗ୍ରି କମିବ। ତେବେ ଅପ୍ରେଲ ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି।