ଭୋଗରାଇ: ଓଡ଼ିଶା ସୀମାକୁ ଜୋର ଜବରଦସ୍ତ ଧସେଇ ପଶିଛି ପଶ୍ଚିମବଙ୍ଗ ସରକାର । ଭଲ ରାସ୍ତାକୁ ଭାଙ୍ଗି ରାସ୍ତା ନିର୍ମାଣ କରୁଛି ପଶ୍ଚିମବଙ୍ଗ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କସବା କମର୍ଦ୍ଦା ଗ୍ରାମ ପଞ୍ଚାୟତ ଶଗଡ଼ା ସାହିରେ ପଶ୍ଚିମବଙ୍ଗର ରାସ୍ତା ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ଖବର ପାଇ ଭୋଗରାଇ ତହସିଲଦାର ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଅଧୀନ କସବା କମର୍ଦ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶା ସୀମାନ୍ତ ଶଗଡ଼ା ସାହିରେ ୮ ମାସ ତଳେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯାଇଥିଲା । ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପଥର ୫୦୦ ମିଟର ଯାଏଁ ଜବରଦସ୍ତ ଧସେଇ ପଶିଆସି ରାସ୍ତା କାମ କରୁଛି ପଶ୍ଚିମବଙ୍ଗ ସରକାର । ଲଗାଇ ଓଡ଼ିଶା ସରକାର ପକ୍ଷରୁ ନିର୍ମାଣ ହୋଇଥିବା ନୂତନ ଙ୍କକ୍ରିଟ ରାସ୍ତାକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଏହା ପରେ ପୁନର୍ବାର ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରିଛି ପଶ୍ଚିମବଙ୍ଗ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଁଚିଛନ୍ତି । ସୀମା ନିର୍ଦ୍ଧାରଣ ପରେ ରାସ୍ତା କାମ ହେବ ବୋଲି କୁହାଯାଇଛି । ପୂର୍ବରୁ ଉକ୍ତ ଅଞ୍ଚଳକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଛି ।