ବାଲେଶ୍ୱର: ଖରା ଯେତିକି ବଡୁଛି ପିଇବା ପାଣିର ସମସ୍ୟା ସେତିକି ଉତ୍କଟ ହେଉଛି, ଟୋପାଏ ପାଣିପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ନଳକୂପ ଅଚଳ ହୋଇ ପଡିଥିବା ବେଳେ ଫେଲ୍ ମାରିଛି ବସୁଧା ଯୋଜନା । ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ସଂଯୋଗ ହୋଇଥିବା ଟ୍ୟାପରୁ ବାହାରୁଛି ଅପରିଷ୍କାର ଏବଂ ଗୋଳିଆ ପାଣି । ଫଳରେ ପିଇବା ପାଣି ମୁନ୍ଦାଏ ପାଇଁ ଅନ୍ୟ ଜଣଙ୍କ ଘରୁ ପାଣି ଆଣୁଛନ୍ତି ଗ୍ରାମବାସୀ । ଏଭଳି ଜଳ କଷ୍ଟ ଭୋଗୁଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ଇଡିଦା ଗ୍ରାମବାସୀ ।
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଇଡିଦା ଗ୍ରାମର ୨୦୦ ପରିବାରର ଏକ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । କିନ୍ତୁ ଗ୍ରାମବାସୀମାନେ ଏବେ ଅସହ୍ୟ ଗରମରେ ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ଗାଁରେ ଥିବା ସମସ୍ତ ନଳକୂପ ଅଚଳ ହୋଇଯିବା ସହ ବସୁଧା ଯୋଜନାରେ ନିର୍ମିତ ଓଭରହେଡ୍ ପାଣି ଟାଙ୍କି ମଧ୍ୟ ଅଚଳ । ସରକାର ଲୋକଙ୍କ ସ୍ୱଚ୍ଛ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହା ସମ୍ପୂର୍ଣ୍ଣ ଫେଲ୍ ମାରିଛି । କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ସରିନି କାର୍ଯ୍ୟ । ବୋରଏଲରୁ ସଂଯୋଗ ହୋଇଥିବା ପାଇପରୁ ଅତ୍ୟନ୍ତ ଅପରିଷ୍କାର ଏବଂ ଗୋଳିଆ ପାଣି ବାହାରୁଥିବ ରୁ ତାହା ପିଇବା ତ ଦୂରର ର କଥା ବ୍ୟବହାର ଉପଯୋଗୀ ମଧ୍ୟ ହୋଇ ପାରୁନି। ମହିଳାମାନେ ଗରା ବାଲ୍ଟି ଧରି ଟାଣ ଖରାରେ ଅଧ କିଲୋମିଟର ରାସ୍ତା ଚାଲି ଚାଲି ଜଣେ ବ୍ୟକ୍ତିଙ୍କ ଘରୁ ପାଣି ଆଣୁଛନ୍ତି । ଆଉ ବିଦ୍ୟୁତ ବିଲ ବାବଦକୁ ଘର ମାଲିକଙ୍କୁ ମାସକୁ ୫୦ରୁ ୧୦୦ ଟଙ୍କା ମଧ୍ୟ ଦେବାକୁ ପଡ଼ୁଛି । ବିଦ୍ୟୁତ କାଟ ହେଲେ ଗଡ଼ିଆ ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁଥିପାଇଁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି । ପାଣି ମିଳୁ ନଥିବାରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ବିଫଳ ହେବାରୁ ଗରା ବାଲ୍ଟି ଧରି ପ୍ରତିବାଦ କରିଛନ୍ତି ଲୋକେ ।
ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବାରୁ ଗ୍ରାମରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଯେଉଁ ସବୁ ସ୍ଥାନରେ ପିଇବା ପାଣିର ସମସ୍ୟା ଦେଖା ଦେଉଛି ଖୁବଶୀଘ୍ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ଆବଶ୍ୟକ ହେଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।