ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପରେ ଏବେ ପୁଣି ପାରଦ ଉପର ମୁହାଁ ହୋଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ଆଶଙ୍କା ମଧ୍ୟ ରହିଛି । ଗତକାଲି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମେତ ଗୁଳୁଗୁଳି ମଧ୍ୟ ଅନୁଭୁତ ହେଉଥିଲା । ଗତକାଲି ଝାରସୁଗୁଡ଼ା ଜିଲ୍ଲା ରାଜ୍ୟର ସବୁଠାରୁ ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ଭୁବନେଶ୍ବରରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।
ଆଜି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩୦ ତାରିଖରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। ଏହା ପରେ ରାଜ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ସେଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।