ବିଜାପୁର: ଛତିଶଗଡ଼ ବିଜାପୁର ଏବଂ କାଙ୍କେର ହୋଇଥିବା ଗୁଳି ବିନିମୟରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଖବର ଲେଖା ଯିବା ବେଳକୁ ୩୦ ଜଣ ମାଓବାଦୀଙ୍କର ମୃତ ଦେହ ଜବତ କରାଯାଇଛି । ବିଜାପୁରରେ ୨୬ଟି ଏବଂ କାଙ୍କେରରେ ୪ଟି ମୃତ ଦେହ ମିଳିଛି । ଘଟଣା ସ୍ଥଳରେ ତଲାସି ଅଭିଯାନ ଜାରି ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
ଗୁରୁବାର ସକାଳରେ ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ପୃଥକ ପୃଥକଭାବେ ମାଓ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା । ବିଜାପୁର ଏବଂ ଦନ୍ତେୱାଡ଼ା ସୀମା ଅଣ୍ଡରୀ ପାହାଡ଼ରେ ମାଓବାଦୀ ଲୁଚି ରହିଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍), ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଓ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସକାଳ ପ୍ରାୟ ୭ଟା ବେଳେ ଶୁଭିଥିଲା ଗୁଳିର ଗର୍ଜନ । ଉଭୟ ପକ୍ଷରୁ ଘମାଘୋଟ ଗୁଳି ବର୍ଷଣ ହୋଇଥିଲା । କିନ୍ତୁ ଯବାନଙ୍କ ଗୁଳିକୁ ସାମ୍ନା କରି ପାରି ନ ଥିଲା ଲାଲବାହିନୀ । ଗୋଟିଏ ପରେ ଗୋଟିଏ ଟଳିପଡ଼ିଥିଲେ । ଘଟଣା ସ୍ଥଳରୁ ୧୮ ଜଣ ମାଓବାଦୀଙ୍କ ମୃତ ଦେହ ଜବତ କରାଯାଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ କାଙ୍କେର ଜିଲ୍ଲାରେ ମଧ୍ୟ ଏନକାଉଣ୍ଟରରେ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଇତ୍ୟାଦି ଜବତ କରାଯାଇଛି ।
ସୁରକ୍ଷାବାହିନୀର ଏହି ସଫଳତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି । ଆତ୍ମ ସମର୍ପଣ ନ କଲେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବା ବୋଲି କେନ୍ଦ୍ର ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।