ଗଞ୍ଜାମ: ସରକାରୀ ବାବୁଙ୍କୁ କ୍ରେକିଟ୍ ବେଟିଂ ପାଗଳ କଲା । ବେଟିଂ ପାଇଁ ସରକାରୀ ଅର୍ଥ କରିଛନ୍ତି ଆତ୍ମସାତ । ୪୩ ଲକ୍ଷ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଶୁକ୍ରବାର ଗିରଫ ହୋଇଛନ୍ତି ପିଇଓ । ସେ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପିଇଓ କ୍ଷେତ୍ର ମୋହନ ନାୟକ ।
ଜୁଲାଇ, ୨୦୨୪ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତରେ କ୍ଷେତ୍ରମୋହନ ନାୟକ ପିଇଓଭାବେ ଯୋଗ ଦେଇଥିଲେ । କାର୍ଯ୍ୟକାଳ ମଧ୍ୟରେ ସେ ସରପଞ୍ଚଙ୍କ ଦସ୍ତଖତକୁ ନକଲ କରି ସରକାରୀ ଟଙ୍କା ଆତ୍ମସାତ କରିଛନ୍ତି । ସରକାରୀ କ୍ଷମତାର ଅପବ୍ୟବହାର କରି ଆକ୍ସିସ୍ ବ୍ୟାଙ୍କ, କାନରା ବ୍ୟାଙ୍କ ଅଫ୍ ଦିଗପହଣ୍ଡି ଶାଖାରେ ରଖାଯାଉଥିବା ଆକାଉଣ୍ଟରୁ ଚେକ୍ ମାଧ୍ୟମରେ ଟଙ୍କା ହଡ଼ପ କରିଛନ୍ତି । ଜାଲ ଦସ୍ତଖତରେ ସିଏଫସି, ଏସଏଫସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟରୁ ୪୩,୦୧,୬୪ ସରକାରୀ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି । ଏହି ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ସରକାରୀ ପାଣ୍ଠିର ଅପବ୍ୟବହାର କରି କ୍ରିକେଟ୍ ବେଟିଂ ଏବଂ ଗେମିଂ ଆପ୍ ରେ ଲଗାଉଥିଲେ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ କରାଯାଉଛି ।