ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ଗୁରୁବାର ହୋଇଥିବା ବଡ଼ ଧରଣର ମାଓ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆତ୍ମସମର୍ପଣ କରୁନଥିବା ନକ୍ସଲବାଦୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ ଯିବ ବୋଲି ପୁଣି ଥରେ ସତର୍କ କରାଇ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆଜି ଆମର ଯବାନମାନେ 'ନକ୍ସଲ ମୁକ୍ତ ଭାରତ ଅଭିଯାନ' ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଛତିଶଗଡ଼ର ବିଜାପୁର ଏବଂ କାଙ୍କେରରେ ଆମ ସୁରକ୍ଷା ବାହିନୀର ଦୁଇଟି ପୃଥକ ଅପରେସନରେ ୨୨ ଜଣ ନକ୍ସଲ ନିହତ ହୋଇଛନ୍ତି । ମୋଦୀ ସରକାର ନକ୍ସଲବାଦୀଙ୍କ ବିରୁଦ୍ଧରେ ଏକ ନିଷ୍ଠୁର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି । ଆତ୍ମସମର୍ପଣ ଠାରୁ ଆରମ୍ଭ କରି ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ ସମସ୍ତ ସୁବିଧା ସତ୍ତ୍ୱେ ଆତ୍ମସମର୍ପଣ କରୁନଥିବା ନକ୍ସଲବାଦୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ପୁଣି ଥରେ ଚେତାଇ ଦେଇଛନ୍ତି ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଥିବା କହିଛନ୍ତି ଶାହ ।
ଅଧିକ ପଢ଼ନ୍ତୁ-କୋଭିଡ୍ ଉଜାଡ଼ିଲା ୫୦ ସାମ୍ବାଦିକଙ୍କ ସଂସାର, ଗଞ୍ଜାମରେ ସର୍ବାଧିକ ମୃତ
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ବିଜାପୁର ଏବଂ କାଙ୍କେର ଦୁଇଟି ପୃଥକ ନକ୍ସଲ ବିରୋଧୀ ଅଭିଯାନ କରାଯାଇଛି । ବିଜାପୁର ଏଣ୍ଡ୍ରି ଜଙ୍ଗଲରେ କରାଯାଇଥିବା କୁମ୍ବିଂ ଅପରେସନରେ ୧୮ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବାବେଳେ କାଙ୍କେରରେ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି । ଏହି ଅପରେସନରେ ଜଣେ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏଥିରେ ଡିଆରଜି, ଏସଟିଏଫ୍ ଏବଂ କୋବ୍ରା ବାଟାଲିୟନ ସାମିଲ ହୋଇଥିଲେ ।