କୋରାପୁଟ: ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୌଲି ଏବେ ଓଡ଼ିଶାର କୋରାପୁଟରେ ଅଛନ୍ତି । ନିଜ ଆଗାମୀ ସିନେମାର ସୁଟିଂ ପାଇଁ ସେ ଓଡ଼ିଶାର ଦେଓମାଳିରେ ଅଛନ୍ତି । ତେବେ ସୁଟିଂ ଭିତରେ ଟିକିଏ ଫୁରସତ ମିଳିବା କ୍ଷଣି ସେ ସେଠାକାର ପ୍ରସିଦ୍ଧ ଦେଓମାଳୀ ପର୍ବତକୁ ବୁଲିବାକୁ ଯାଇଥିଲେ । ଶିଖରରେ ପହଞ୍ଚିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ସେ ଯେତିକି ଖୁସି ହୋଇଛନ୍ତି, ତାହାଠୁ ଅଧିକ ଦୁଃଖ ପ୍ରକାଶ କରିଛନ୍ତି ସେଠାକାର ଅପରିଷ୍କାରତାକୁ ଦେଖି ।
ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରାଜମୌଲି ଏନେଇ ଭିଡ଼ିଓ ଶେୟାର କରି ଲେଖିଛନ୍ତି, ‘ଓଡ଼ିଶାର ସବୁଠୁ ଉଚ୍ଚା ସ୍ଥାନକୁ ଏକୁଟିଆ ପରିଭମ୍ରଣରେ ଆସିବାର ଅନୁଭୂତି ନିଆରା, ଏଠାକାର ସୌନ୍ଦର୍ଯ୍ୟ ଅତି ମନମୁଗ୍ଧକର, ହେଲେ ଏଠାକୁ ଆସିବା ବେଳେ ପରିବେଶ ତାଙ୍କୁ ସେତିକି ଖୁସି ଦେଇଛି, ତା ଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ଏଠାକାର ସ୍ଥିତି ।
ଚାରିଆଡେ କୃଢ-କୁଢ ଅଳିଆ ଆବର୍ଜନା ଭରିରହିଛି । ପ୍ରକୃତିକୁ ଏଭଳି ଅସମ୍ମାନ ଦିଆଯାଉଥିବା ସେ ଭିଡ଼ିଓରେ କହିଛନ୍ତି । ତେଣୁ ସବୁ ପର୍ଯ୍ୟଟକ ଏବଂ ଏଠାକାର ନାଗରିକ ଯଦି ଟିକେ ଦାୟିତ୍ୱବୋଧ ଭାବେ କାମ କରିବେ ତେବେ ବଡ଼ ପରିବର୍ତ୍ତନ ଆସିପାରିବ । ରାଜମୌଲିଙ୍କ ଏହି ସୋସିଆଲ ମିଡ଼ିଆ ପୋଷ୍ଟ ଏବେ ଦେଶ ପାଇଁ ଚର୍ଚ୍ଚାର ବିଷୟ ହୋଇଛି । କାହିଁକି ପର୍ଯ୍ୟଟନ ସ୍ଥଳୀକୁ ପରିଷ୍କାର ରଖାଯାଉନାହିଁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜାମୌଲୀ ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB-29ର ସୁଟିଂ ପାଇଁ ବର୍ତ୍ତମାନ କୋରାପୁଟରେ ନିଜର ଟିମ୍ ସହ ଅଛନ୍ତି । ଫିଲ୍ମର ଲିଡ୍ ଷ୍ଟାର୍ ମହେଶବାବୁ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସୁଟିଂ ପାଇଁ କୋରାପୁଟ ଆସିଥିଲେ । ପ୍ରାୟ ୧୫ ଦିନ ରହି ସିନେମାର କିଛି ଭାଗ ସୁଟିଂ ସାରି ଫେରିଛି ରାଜାମୌଲିଙ୍କ ଟିମ୍ ।