ନୂଆଦିଲ୍ଲୀ: ୨୦୧୭ ମସିହାରୁ ୟେମେନ ଜେଲରେ କାଳାତିପାତ କରୁଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ୟେମେନର ରାଷ୍ଟ୍ରପତି ରସଦ ଅଲ ଅଲିମି ମୃତ୍ୟୁ ଦଣ୍ଡାଦେଷ ଶୁଣାଇଛନ୍ତି। ଜଣେ ୟେମେନ ବାସିନ୍ଦାଙ୍କ ହତ୍ୟା ଅପରାଧ କ୍ରମେ ସେ ୨୦୧୭ ମସିହାରୁ ଜେଲରେ ଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆଗାମୀ ଏକ ମାସ ମଧ୍ୟରେ ଏହି ଦଣ୍ଡାଦେଶ କାର୍ଯ୍ୟକାରୀ ହେବାକୁ ଯାଉଛି।
ଏହି ଘଟଣାକୁ ନେଇ ସୋମବାର ଭାରତୀୟ ବୈଦେଶିକ ନୀତି ମନ୍ତ୍ରଣାଳୟର ମୁଖ୍ୟବକ୍ତା ରଣଧୀର ଜୈସ୍ବାଲ କହିଛନ୍ତି ଯେ, ୟେମେନରୁ ଆସିଥିବା ଖବର ନେଇ ଆମେ ସମ୍ପୂର୍ଣ୍ଣ ଅବଗତ ଓ ନିମିଶାଙ୍କୁ ବଞ୍ଚାଇବା ପାଇଁ ନିମିଶାଙ୍କ ପରିବାର ବହୁ ଚେଷ୍ଟା ଜାରି ରଖିଥିବା ବେଳେ ଆମେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ ପାଇଁ ସର୍ବଦା ରହିଛୁ।
ସୂଚନାଯୋଗ୍ୟ କେରଳ ବାସିନ୍ଦା ଏହି ନର୍ସ ଜଣକ ୟେମେନରେ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ତଲାଲ ଅବ୍ଦ ମେହଦି ନାମକ ଜଣେ ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ତାଙ୍କୁ ୨୦୧୭ରେ ୟେମେନର ଟ୍ରାଏଲ କୋର୍ଟ ମୃତ୍ୟୁ ଦଣ୍ଡାଦେଷ ଶୁଣାଇଥିବା ବେଳେ ସେହିଦିନ ଠାରୁ ନିମିଶା ପ୍ରିୟାଙ୍କୁ ପରିବାର ବଞ୍ଚାଇବା ପାଇଁ ପ୍ରାୟାଶ କରିଆସୁଛନ୍ତି। ନର୍ସଙ୍କ ମୁକ୍ତି ମୃତକଙ୍କ ପରିବାର ଓ ତାଙ୍କ ସମ୍ପ୍ରଦାୟ ମୁଖ୍ୟଙ୍କ କ୍ଷମା ଉପରେ ନିର୍ଭର କରୁଥିଲା ବେଳେ, ୨୦୨୩ ମସିହାରେ ତାଙ୍କ ଆବେଦନକୁ ଖାରଜ କରାଯାଇଥିଲା।
ନିମିଶା ତାଙ୍କ ପରିବାର ସହିତ ୟେମେନରେ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିବା ବେଳେ ଆର୍ଥିକ ଅସୁବିଧା ଯୋଗୁଁ ତାଙ୍କ ସ୍ୱାମୀ ଓ ସନ୍ତାନ ୨୦୧୪ ରେ ଭାରତ ପଳେଇ ଆସିଥିଲେ। ଏହା ପରେ ନିମିଶା ୟେମେନ ରାଜଧାନୀ ସନାରେ ନିଜର କ୍ଲିନିକ ଖୋଲିଥିଲେ। ଏହି କାର୍ଯ୍ୟରେ ତାଙ୍କୁ ତଲାଲ ଅବ୍ଦ ମେହଦି ସାହାଯ୍ୟ କରିଥିଲେ। ମାତ୍ର ପରବର୍ତୀ ସମୟରେ ମେହଦି ନିମିଶାଙ୍କୁ ବହୁ ହଇରାଣ ହରକତ କରିଥିଲେ। ଏପରିକି ନିମିଶାଙ୍କୁ ନିଜର ସ୍ତ୍ରୀ ବୋଲି ପରିଚୟ ଦେଇ କ୍ଲିନିକରୁ ହେଉଥିବା ଆୟକୁ ମଧ୍ୟ ହଟେଇ ନେଇଥିଲେ। କେବଳ ଏତିକି ନୁହେଁ ସେ ନିମିଶାଙ୍କ ପାସପୋର୍ଟ ମଧ୍ୟ ଛଡାଇନେଇଥିଲେ। ଏହି ସବୁ ଘଟଣାରୁ ନିମିଶା ପ୍ରଭାବିତ ହୋଇ ମେହଦିଙ୍କୁ ନିଶାସକ୍ତ କରି ତାଙ୍କ ଠାରୁ ପାସ୍ପୋର୍ଟ ହାତେଇବାକୁ ଯୋଜନା କରିଥିଲେ। ମାତ୍ର ମାତ୍ରାଧିକ ଡ୍ରଗ୍ସର ପ୍ରୟୋଗ ଯୋଗୁଁ ମେହଦିଙ୍କ ମୃତ୍ୟୁ ଘଟିଥିଲା।