ବେଙ୍ଗାଲୁରୁ: କର୍ଣ୍ଣାଟକରେ ନଭେମ୍ବର କ୍ରାନ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ବିହାରରେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଲଗାତାର ସସପେନ୍ସ ଲାଗି ରହିଛି । ତେଣୁ ଏହି ଦୃଷ୍ଟିରୁ ନଭେମ୍ବର ମାସ ବେଶ ଗୁରୁତ୍ୱ ରହିଛି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକଙ୍କ ଖାସ ଉତ୍ସାହିତ ଅଛନ୍ତି । ବିହାର ନିର୍ବାଚନ ପରେ କର୍ଣ୍ଣାଟକ କ୍ୟାବିନେଟ୍ ଅଦଳ ବଦଳ ନେଇ ଚର୍ଚ୍ଚା ଚାଲିଛି । ଏହା ବ୍ୟତୀତ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହି ବିଷୟରେ ସିଦ୍ଧରମୈୟାଙ୍କୁ ପଚରା ଯିବାରୁ ସେ କହିଛନ୍ତି, ବିହାର ନିର୍ବାଚନ ପରେ କ୍ୟାବିନେଟ୍ ଅଦଳବଦଳ ହେବ । ନିଜର ଭବିଷ୍ୟକୁ ନେଇ ସିଦ୍ଧରମୈୟା କହିଛନ୍ତି ଯେ, ଶେଷ ନିଷ୍ପତ୍ତି ହାଇକମାଣ୍ଡ ନେବେ ।
ସିଦ୍ଧରମୈୟା କହିଛନ୍ତି, ହାଇକମାଣ୍ଡଙ୍କ ପକ୍ଷରୁ ମୋତେ ଏ ଯାଏଁ କିଛି କୁହାଯାଇ ନାହିଁ । ନେତୃତ୍ୱ ପରିବର୍ତ୍ତନ ନେଇ ଅଦ୍ୟାବଧି କୌଣସି ଆଲୋଚନାହ ହୋଇ ନାହିଁ । ସିଦ୍ଧରମୈୟା ଏମିତି କହୁଥିଲେ ହେଁ, କ୍ୟାବିନେଟ୍ ଅଦଳବଦଳ ହେବା ନିଶ୍ଚିତ ଲାଗୁଛି । ତେଣୁ ଏହାକୁ ନେଇ ପୁଣି ଥରେ ଆକଳନ ଜୋରଦାର ଚାଲିଛି ଯେ, କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଯଦି ଏମିତି ନ ହୁଏ ତେବେ ଡିକେ ଶିବକୁମାର ଏବଂ ତାଙ୍କ ସମର୍ଥକଙ୍କୁ ମନାଇବା  ଆଗାମୀ ଦିନରେ ବହୁତ କଷ୍ଟ ହୋଇପାରେ । ସିଦ୍ଧରମୈୟାଙ୍କ ବୟାନରେ ସ୍ପଷ୍ଟ ହୋଇଛି ଯେ, କର୍ଣ୍ଣାଟକ କଂଗ୍ରେସରେ ଲବି ଚମରରେ ରହିବ । 
କାହିଁକି ବଢିଲା ଚର୍ଚ୍ଚା
ଖୋଦ୍ ସିଦ୍ଧରମୈୟା ନଭେମ୍ବର ୧୫ରେ ଦିଲ୍ଲୀ ଯିବେ । ତାଙ୍କ ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ସତୀଶ ଜରକିହୋଲି ମଧ୍ୟ ଦିଲ୍ଲୀ ଯିବେ । କୁହାଯାଉଛି ଜରକିହୋଲିଙ୍କ ନଜର ରାଜ୍ୟ କଂଗ୍ରେସ ସଭାପତି ହେବା ଉପରେ ରହିଛି । ବର୍ତ୍ତମାନ ଏହି ପଦ ଡିକେ ଶିବକୁମାରଙ୍କ ହାତରେ ରହିଛି । କୁହାଯାଏ ଯେ ଡିକେ ଶିବକୁମାରଙ୍କୁ ମନାଇବା ପାଇଁ ହିଁ ଉପମୁଖ୍ୟମନ୍ତ୍ରୀ ସହ ପିସିସି ସଭାପତି ପଦ ଦିଆଯାଇଛି । କାରଣ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ନ ମିଳିବା ନେଇ ଅସନ୍ତୁଷ୍ଟ ଥିଲେ ।
ଏବେ ଯଦି ସତୀଶ ଜରକିହୋଲିଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଯାଏ ତେବେ ଏହାର ସମ୍ଭାବନା ଅଧିକ ଯେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଗତ ଦିନରେ ସିଦ୍ଧରମୈୟାଙ୍କ ପୁଅ ହିଁ କହିଥିଲେ ଯେ, ତାଙ୍କ ପିତାଙ୍କ ରାଜନୈତିକ କ୍ୟାରିୟର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି । 
Also read:  ନବୀନଙ୍କୁ ପ୍ରଭାତୀଙ୍କ ଜବାବ: ୨୪ ବର୍ଷର ବିଶ୍ୱାସଘାତର ଦବାବ ଦେବାକୁ ନୂଆପଡ଼ା ପ୍ରସ୍ତୁତ