ନୂଆଦିଲ୍ଲୀ: ଇସଲାମାବାଦର ଏକ କୋର୍ଟ ବାହାରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଦାୟୀ କରିଛନ୍ତି। ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବୟାନକୁ ମନଗଢ଼ା କାହାଣୀ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ପାକିସ୍ତାନ ଏହାର ଆଭ୍ୟନ୍ତରୀଣ ସମସ୍ୟାରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ଏପରି କାହାଣୀ ପ୍ରସ୍ତୁତ କରୁଛି।
ପାକିସ୍ତାନରେ, ସମ୍ବିଧାନକୁ ଅବମାନନା କରି ସାମରିକ ବାହିନୀର ନିର୍ଦ୍ଦେଶରେ କ୍ଷମତା ଦଖଲ କରାଯାଉଛି। ଅନ୍ତର୍ଜାତୀୟ ସମୂଦାୟ ବାସ୍ତବତା ବିଷୟରେ ବେଶ ଭଲଭାବେ ଅବଗତ ଅଛନ୍ତି । ପାକିସ୍ତାନର ହତାଶାପୂର୍ଣ୍ଣ ଧ୍ୟାନକୁ ହଟାଇବା ପରି ଚାଲରେ ବିଶ୍ୱ ସମୁଦାୟ ଭ୍ରମିତ ହେବେ ନାହିଁ ।
ଇସଲାମାବାଦ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ
ମଙ୍ଗଳବାର ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ କୋର୍ଟ ବାହାରେ ଜଣେ ଆତ୍ମଘାତୀ ଘଟିଛି । ଏଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ପାକିସ୍ତାନର ଗୃହମନ୍ତ୍ରୀଙ୍କ ଅନୁଯାୟୀ, ଆକ୍ରମଣକାରୀ କୋର୍ଟ ପରିସରରେ ପ୍ରବେଶ କରିବାକୁ ଚାହୁଁଥିଲା । କିନ୍ତୁ ବିଫଳ ହେବାରୁ ଆକ୍ରମଣକାରୀ ରାଜଧାନୀର ଏ-୧୧ ଅଞ୍ଚଳରେ ଥିବା କୋଠାର ଫାଟକରେ ଦିନ ପ୍ରାୟ ୧୨ଟା ୩୯ରେ ଏକ ପୋଲିସ ଗାଡ଼ି ନିକଟରେ ନିଜକୁ ଉଡାଇ ଦେଇଛି ।
ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହା ସତ୍ତ୍ୱେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଙ୍ଗଳବାର ଆକ୍ରମଣ ପାଇଁ ଭାରତକୁ ଦାୟୀ କରିବାକୁ ଚେଷ୍ଟା କରିଛନ୍ତି ।
ପାକିସ୍ତାନର ସରକାରୀ ଖବର ସଂସ୍ଥା ଏଏପି ଅନୁଯାୟୀ, ଶାହବାଜ ସରିଫ କହିଛନ୍ତି, "ଏହି ଆକ୍ରମଣ ଭାରତ ପ୍ରାୟୋଜିତ ଆତଙ୍କବାଦର ଏକ ଅଂଶ, ଯାହାର ଲକ୍ଷ୍ୟ ପାକିସ୍ତାନକୁ ଅସ୍ଥିର କରିବା।ଶାହବାଜ ସରିଫ କୌଣସି ପ୍ରମାଣ ନ ଦେଇ ମଧ୍ୟ ଦାବି କରିଛନ୍ତି ଯେ ୱାନାରେ ପିଲାମାନଙ୍କ ଉପରେ ଆକ୍ରମଣ ପାଇଁ ଏକ ଆଫଗାନ-ଭିତ୍ତିକ ନେଟୱାର୍କ ଦାୟୀ।
ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ କହିଛନ୍ତି ଯେ ପାକିସ୍ତାନ ସ୍ପଷ୍ଟ ଭାବରେ ବିଶ୍ୱାସ କରେ ଯେ ଆଫଗାନିସ୍ତାନକୁ ତା'ର ମାଟିରୁ ଆତଙ୍କବାଦ ବନ୍ଦ କରିବାକୁ ପଡିବ, ନଚେତ୍ ଆମକୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ।
Also read: ପୁଣି ହେବ ଅପରେସନ ସିନ୍ଦୂର ? ଡକାଗଲା କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ, ପାକିସ୍ତାନରେ ପଡିଲା ଚହଳ