ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୋମବାର ଘଟିଥିବା କାର ବିସ୍ଫୋରଣ ପରେ ଆଲର୍ଟରେ ସୁରକ୍ଷା ଏଜେନ୍ସି । ଏହି ଭୟଙ୍କର ବିସ୍ଫୋରଣ ପଛରେ କାହାର ହାତ ରହିଛି ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଅନ୍ୟପଟେ କେନ୍ଦ୍ର ସରକାର ବୁଧବାର କ୍ୟାବିନେଟର ସୁରକ୍ଷା ସଂପର୍କିତ କମିଟି(ସିସିଏସ)ର ବୈଠକ ଡକାଇଛନ୍ତି । ପ୍ରଧାନମନ୍ତ୍ରୀ ସଂପ୍ରତି ଭୂଟାନ ଗସ୍ତରେ ଅଛନ୍ତି । ତାଙ୍କ ଫେରିବା ପରେ ଏହି ବୈଠକ ବସିବ । ଏଥିରେ ଯାଞ୍ଚର ସ୍ଥିତି ଉପରେ ସମୀକ୍ଷା କରାଯିବା ସହ ଆଗାମୀ ରଣନୀତି ଉପରେ ନିର୍ଣ୍ଣୟ ନିଆଯିବ ।
ଅପରେସନ ସିନ୍ଦୂର ଓ ପ୍ରଧାନମନ୍ତ୍ରୀଙ୍କ ଦେଶକୁ ସମ୍ବୋଧିତ କରିବା ପରେ ସିସିଏସର ଏହା ପ୍ରଥମ ବୈଠକ । ଏହା ପୂର୍ବରୁ ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ହମଲା ପରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟିର ବୈଠକ ବସିଥିଲା । କିଛି ଦିନ ପରେ ଅପରେସନ ସିନ୍ଦୂର ଆଧାରରେ ଭାରତ ପାକିସ୍ତାନ ଉପରେ କୁଟନୈତିକ ପ୍ରହାର କରିଥିଲା ।
ଅପରେସନ ସିନ୍ଦୂର ପାର୍ଟ-୨କୁ ନେଇ ଚର୍ଚ୍ଚା କାହିଁକି ?
ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, କଣ ସରକାର ଅପରେସନ ସିନ୍ଦୂର ପାର୍ଟ-୨ ଆରମ୍ଭ କରିବେ ? କାରଣ ସରକାର ପୂର୍ବରୁ କହି ସାରିଛନ୍ତି ଯେ, ଅପରେସନ ସିନ୍ଦୂର ଏବେ ବି ସମାପ୍ତ ହୋଇ ନାହିଁ । ଯଦି ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ଆତଙ୍କୀ ଷଡଯନ୍ତ୍ର ରଚାଯାଏ ତେବେ ଏହାର ମୁହଁତୋଡ ଜବାବ ଦିଆଯିବ । ସରକାର ପୂର୍ବରୁ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ଯେ, ଆକ୍ଟ ଅଫ ଟେରରକୁ ଆକ୍ଟ ଅଫ ୱାର ଭାବେ ଗ୍ରହଣ କରାଯିବ । ଏଥିପାଇଁ ଏହାର ସମ୍ଭାବନା ବଢି ଯାଇଛି ଯେ, ଭାରତ ପୁଣି ଥରେ ପାକ୍ ସ୍ଥିତ ଆତଙ୍କୀ ଶିବି ଉପରେ ହମଲା କରିପାରେ ।
ସୂଚନାଯୋଗ୍ୟ, କାର ବିସ୍ଫୋରଣରେ ସୋମବାର ସନ୍ଧ୍ୟାରେ ଦୋହଲି ଯାଇଛି ରାଜଧାନୀ ଦିଲ୍ଲୀ । ଆଇ ଟ୍ୱେଣ୍ଟି କାରରେ ଭୟଙ୍କର ବିସ୍ଫୋରଣ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଅନେକ ମୃତକଙ୍କ ଚିହ୍ନଟ ଡିଏନଏ ମାଧ୍ୟମରେ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମରର ଭାଇ ଓ ପରିବାର ଲୋକଙ୍କୁ ପଚରା ଉଚୁରା କରାଯାଉଛି ।
Also read: ଦିଲ୍ଲୀ ବିସ୍ଫୋରଣର ତଦନ୍ତ କରିବ ଏନଆଇଏ, ସେପଟେ ଫଲାହ ବିଶ୍ୱବିଦ୍ୟାଳୟର ୫୨ ଜଣଙ୍କୁ ଜେରା