ବିନା ଲୋକ ପାଇଲଟରେ ଜାମ୍ମୁରୁ ପଞ୍ଜାବକୁ ଗଡ଼ିଲା ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଜମ୍ମୁ କାଶ୍ମୀରର କାଥୁଆ ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନର ଲୋକ ପାଇଲଟ ଜଣଙ୍କ ହ୍ୟାଣ୍ଡବ୍ରେକ ନଲଗାଇ ଟ୍ରେନରୁ ତଳକୁ ଓହ୍ଲାଇ ପଡ଼ିବା ଫଳରେ ଉକ୍ତ ମାଲବାହୀ ଟ୍ରେନଟି ପଠାନକୋଟ ଆଡକୁ ପ୍ରାୟ ୮୪ କି.ମି. ଆପେ ଆପେ ଗଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ରବିବାର ସକାଳ ପ୍ରାୟ ୭ଟା ୧୦ରେ ଜାମ୍ମୁର କଥୁଆ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ 14806R ରହିଥିଲା। ଟ୍ରେନ୍ଟି ଷ୍ଟେସନରେ ରହିବା ପରେ ଲୋକୋ ପାଇଲଟ ଚା’ ପିଇବାକୁ ଓହ୍ଲାଇଥିଲେ।କିନ୍ତୁ ଏହି ସମୟରେ ଟ୍ରେନ୍ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା। ଟ୍ରେନ ଗାଡି ଗାଡି ଯାଇ ୮୪ କି.ମି. ଆଗକୁ ଗଡି ଯାଇଥିଲା। ଟ୍ରେନ୍କୁ ଅଟକାଇବା ପାଇ ବହୁ ଚେଷ୍ଟା କରିବା ପରେ ମଧ୍ୟ ସଫଳ ହୋଇନଥିଲେ।
ତେବେ କାଥୁଆ ରେଳ ଷ୍ଟେସନ ଅଧିକାରୀମାନେ ତୁରନ୍ତ ପଞ୍ଜାବ ପଠାନକୋଟର ସୁଜନପୁର ରେଳ ଷ୍ଟେସନ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେଠାରେ ମଧ୍ୟ ଷ୍ଟପର୍ ଲଗାଇ ଚଳନ୍ତା ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ରେଳ ଅଧିକାରୀମାନେ ଟ୍ରେନକୁ ଅଟକାଇବାରେ ବିଫଳ ହୋଇଥିବା ବେଳେ ଟ୍ରେନ ସୁଜନପୁର ରେଳ ଷ୍ଟେସନକୁ ମଧ୍ୟ ପାର କରି ଗଡ଼ିଚାଲିଥିଲା। କିନ୍ତୁ ଶେଷରେ ହୋସିଆରପୁର ଉଚିବାସି ଷ୍ଟେସନରେ କାଠ ଷ୍ଟପର ଲଗାଯାଇ ମାଲବାହୀ ଟ୍ରେନକୁ ଅଟକାଇବାରେ ସଫଳ ହୋଇଥିଲେ ରେଳ ଅଧିକାରୀ। ତେବେ ଜାମ୍ମୁର ଡିଭିଜନାଲ ଟ୍ରାଫିକ୍ ମ୍ୟାନେଜର ଏହି ଘଟଣାର ତଦନ୍ତ ଆରମ୍ଭ ଜାରି ରହିଛି ବୋଲି କହିଛନ୍ତି ।
ଅଧିକ ପଢନ୍ତୁ: ଲଦାଖରେ ମୃଦୁ ଭୂମିକମ୍ପ ଅନୁଭୂତ