ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ତହବୁର ରାଣାଙ୍କୁ ଶେଷରେ ଆମେରିକା ଭାରତକୁ ହସ୍ତାନ୍ତର କରିଛି । ରାଣାକୁ ବେଡିରେ ବନ୍ଧା ଯାଇ ଭାରତକୁ ଗତକାଲି ପ୍ରତ୍ୟର୍ପଣ କରାଯାଇଛି । ଆମେରିକୀୟ ବୈଦେଶିକ ବିଭାଗର ରିଲିଜ୍ ଅନୁଯାୟୀ, ମୁମ୍ବାଇ ଆକ୍ରମଣ ପରେ ତହବୁର ରାଣା ନିଜର ପିଲା ବେଳର ସାଥୀ ଡେଭିଡ କୋଲମ୍ୟାନ ହେଡଲିକୁ ଜଣାଇଥିଲା ଯେ, ଆତଙ୍କବାଦୀମାନେ ପାକିସ୍ତାନୀ ସେନାର ସବୁଠୂ ବଡ ପୁରସ୍କାର ନିଶାନ ଏ ହାଇଦର ପାଇବାର ହକଦାର ।
ଡେଭିଡ କୋଲମ୍ୟାନ ହେଡଲୀ ମୁମ୍ବାଇ ଆକ୍ରମଣ ପାଇଁ ରେକି କରିଥିଲା । ସେ ପାକିସ୍ତାନର ଆତଙ୍କବାଦୀଙ୍କ ଇସାରାରେ କାମ କରୁଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଛଅ ଆମେରିକୀୟ ନାଗରିକ ସାମିଲ ଥିଲେ । ଆମେରିକା କହିଛି ଯେ, ଆତଙ୍କବାଦୀ ଆକ୍ରମଣରେ ଆମେରିକା ସର୍ବଦା ଭାରତ ସମର୍ଥନରେ ରହିଛି ।
ବୈଦେଶିକ ବିଭାଗ କହିଛି ଯେ, ଆମେରିକା ସର୍ବଦା ଏହାର ସମର୍ଥନ କରି ଆସିଛି ଯେ, ଆକ୍ରମଣରେ ଦାୟୀ ଲୋକଙ୍କୁ ସଜା ମିଳିବା ଉଚିତ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ସମଗ୍ର ଦୁନିଆରେ ଆତଙ୍କବାଦ ବିରୋଧରେ ଭାରତ ସହିତ ମିଶି ଲଢେଇ କରିବ । ଏହି କ୍ରମରେ ୬୪ ବର୍ଷୀୟ ତହବୁର ରାଣାକୁ ବୁଧବାର ଭାରତ ଅଣା ଯାଇଛି । ଏହା ପରେ ଏନଆଇଏ ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଇଛି ।
ଏନଆଇଏ କହିଛି, ରାଣାଠୁ ଆକ୍ରମଣ ନେଇ ସବୁ ରହସ୍ୟ ଉପରୁ ପରଦା ହଟାଯିବାକୁ ଉଦ୍ୟମ କରାଯିବ । ତହବୁର ରାଣା ଡେଭିଡ କୋଲମ୍ୟାନ ହେଡଲି ଓରଫ ଦାଉଦ ଗିଲାନୀ ସହ ମିଶି ଲସ୍କର ଏ ତୋଇବା ଓ ହରକତ ଉଲ ଜିହାଦୀ ଇସ୍ଲାମି ଆତଙ୍କୀ ସଂଗଠନକୁ ସାହାଯ୍ୟ କରିଥିଲ । ମୁମ୍ବାଇ ଉପରେ ଆକ୍ରମଣ କେବଳ ଭାରତ ନୁହେଁ ପୂରା ଦୁନିଆକୁ ଦୋହଲାଇ ଦେଇଥିଲା । ମୁମ୍ବାଇ ତାଜ ହୋଟେଲ୍ ଓ ଓବରୟ ସମେତ ଯେଉଁ ଜାଗାକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ, ସେଠାରେ ବହୁତ ସଂଖ୍ୟାରେ ବିଦେଶୀ ଉପସ୍ଥିତ ଥିଲେ । ବିଦେଶୀ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।