ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ୩୦ ସପ୍ତାହ ଗର୍ଭବତୀ ନାବାଳିକାଙ୍କୁ ସୋମବାର ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ନାବାଳିକାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ତାଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଥିଲେ । ତା’ପରେ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍କୋର୍ଟ ଏବେ ନାବାଳିକା ଗର୍ଭବତୀଙ୍କୁ ତୁରନ୍ତ ଗର୍ଭପାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଡାକ୍ତରଖାନାର ରିପୋର୍ଟ ଆଧାରରେ ଗର୍ଭପାତକୁ ଅନୁମତି ଦେଇଛନ୍ତି । ପ୍ରଧାନ ବିଚାରପତି ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ, ଏହି ସମୟରେ ଗର୍ଭପାତ କରାଇବାରେ କିଛି ବିପଦ ନାହିଁ । ବେଞ୍ଚ ପୀଡିତାଙ୍କ ଗର୍ଭପାତ ପାଇଁ ଏକ ଡାକ୍ତରୀ ଦଳ ଗଠନ କରିବାକୁ ମୁମ୍ବାଇର ଲୋକମାନ୍ୟ ତିଲକ ହସ୍ପିଟାଲର ଡିନ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାଙ୍କୁ ନିରାପଦର ସହକାରେ ଚିକିତ୍ସା ସୁବିଧାକୁ ଯୋଗାଇ ଦିଆଯିବ ଓ ମହାରାଷ୍ଟ୍ର ସରକାର ଏହି ପ୍ରକ୍ରିୟାର ଖର୍ଚ୍ଚ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକାଙ୍କ ମାଆଙ୍କ କହିବାନୁଯାୟୀ, ତାଙ୍କ ଝିଅ ୨୦୨୩ ମସିହାରେ ନିଖୋଜ ହୋଇଯାଇଥିଲେ । ତା’ପରେ ସେ ତିନି ମାସ ପରେ ମିଳିଥିଲେ । ସେ ତାହା ମଧ୍ୟରେ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ତେବେ ଗର୍ଭପାତ ପାଇଁ ପୀଡ଼ିତା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ପୀଡ଼ିତାଙ୍କ ମାଆ ତାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟକୁ ଯାଇଥିଲେ । ଏହି ମାମଲାରେ ଶୁଣାଣୀ କରି ସୁପ୍ରିମକୋର୍ଟ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି ଆଉ ଏଥିସହ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ।
ଅଧିକ ପଢ଼ନ୍ତୁ : ନାବାଳକ ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କଲା ବାପା