ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ ଶତାବ୍ଦୀର ଦୁଇଟି ମନ୍ଦିର ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀ ବର୍ତ୍ତମାନ ଭାରତ ଫେରିବ। ଏହାକୁ ଫେରାଇ ଆଣିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଲଣ୍ଡନରେ ଏକ ସମାରୋହରେ କହିଛନ୍ତି। ଲଣ୍ଡନସ୍ଥିତ ଭାରତର ବାଣିଜ୍ୟ ଦୂତାବାସ, ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ଓ ଆର୍ଟ ରିକଭରି ଇଣ୍ଟରନ୍ୟାସନାଲର ମିଳିତ ଉଦ୍ୟମ ଯୋଗୁ ଉକ୍ତ ମୂର୍ତ୍ତି ଫେରସ୍ତ କାର୍ୟ୍ୟ ସମ୍ଭବ ହୋଇପାରିଛି। ପାଞ୍ଚ ଦିନିଆ ବ୍ରିଟେନ ଗସ୍ତର ଶେଷ ଦିନରେ ଇଣ୍ଡିଆ ହାଉସରେ ଆୟୋଜିତ ଏକ ସମାରୋହରେ ଜୟଶଙ୍କର ମୂର୍ତ୍ତିଗୁଡ଼ିକୁ ଉନ୍ମୋଚନ କରିବା ସହ ଏଗୁଡ଼ିକ ଭାରତକୁ ଅତି ଶୀଘ୍ର ଫେରିବ ବୋଲି କହିଛନ୍ତି।
ସୂଚନା ଅନୁସାରେ, ୧୯୭୦ ମସିହାରେ ଉତ୍ତରପ୍ରଦେଶର ଏକ ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ ଶତାବ୍ଦୀର ଦୁଇଟି ମନ୍ଦିରର ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଗୋମୁଖୀ ଏବେ ଭାରତ ଫେରିବ। ୧୯୭୦ ଦଶକରେ ଏହି ମୂର୍ତ୍ତି ରାଜସ୍ଥାନ ଓ ମହାରାଷ୍ଟ୍ରରୁ ସୁଇଜରଲାଣ୍ଡ ଦେଇ ୟୁରୋପକୁ ଚୋରା ସାମଗ୍ରୀ ଚାଲାଣ କରୁଥିବା କିଛି ଲୁଟେରା ଏହାକୁ ଚୋରାଇ ନେଇଥିଲେ। ଲଣ୍ଡନସ୍ଥିତ ଭାରତର ବାଣିଜ୍ୟ ଦୂତାବାସ, ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ଓ ଆର୍ଟ ରିକଭରି ଇଣ୍ଟରନ୍ୟାସନାଲର ମିଳିତ ଉଦ୍ୟମ ଯୋଗୁ ଉକ୍ତ ମୂର୍ତ୍ତି ଫେରସ୍ତ କାର୍ୟ୍ୟ ସମ୍ଭବ ହୋଇପାରିଛି। ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ୍ର ବାଣିଜ୍ୟ ଓ ଅର୍ଥନୀତିର ପ୍ରଥମ ସଚିବ ଜସପ୍ରୀତ ସିଂହ ସୁଖିଜା ଭାରତର ହଜିଯାଇଥିବା କଳାକୃତିର ପୁନରୁଦ୍ଧାର ପାଇଁ ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ସହିତ ସକ୍ରିୟ ଭାବେ ଜଡିତ ଅଛନ୍ତି। ବ୍ରିଟେନରେ ଅବସ୍ଥାପିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ୱାମୀ ଏଭଳି ଅବସରରେ ଭାରତୀୟ ଐତିହ୍ୟକୁ ଏହାର ପ୍ରକୃତ ଉତ୍ପତ୍ତି ସ୍ଥାନକୁ ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅଧିକ ପଢନ୍ତୁ ; ମଧ୍ୟପ୍ରଦେଶରେ ଓ ଛତିଶଗଡରେ ଚାଲିଛି ମତଦାନ : ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର