ଆଜି ମଧ୍ୟପ୍ରଦେଶରେ ଓ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି । ସେପଟେ ଛତିଶଗଡ ବିଧାନସଭା ଆସନ ପାଇଁ ମଧ୍ୟ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଚାଲିଛି । ଛତିଶଗଡ଼ର ୭୦ଟି ଆସନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର । ଏଥିପାଇଁ ୧୮ ହଜାର ୮୩୩ ଟି ମତଦାନ କେନ୍ଦ୍ର କରାଯାଇଛି ।
ଅନ୍ୟପଟେ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ମୁକାବିଲା ହେଉଛି । ଗତଥର ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ହାର ମାତ୍ର ଅଧା ପ୍ରତିଶତରୁ କମ ବ୍ୟବଧାନ ରହିଥିଲା । ବିଜେପିକୁ ୪୧.୦୨ ପ୍ରତିଶତ ଭୋଟ ମିଳିଥିଲାବେଳେ କଂଗ୍ରେସ ହାତେଇଥିଲା ୪୦.୮୯ ପ୍ରତିଶତ ଭୋଟ୍। ଉଭୟ ଦଳର ଭୋଟ ବ୍ୟବଧାନ ମାତ୍ର ୦.୧୩ ପ୍ରତିଶତ ରହିଥିଲା । ତେବେ କଂଗ୍ରେସ ୧୧୪ ଆସନ ଜିତିଥିବାବେଳେ ବିଜେପି ଖାତାକୁ ଆସିଥିଲା ୧୦୯ ଆସନ । କମଳନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କଂଗ୍ରେସ ଦଳରେ କନ୍ଦଳ ଯୋଗୁ ସରକାର ଭାଙ୍ଗିଯାଇଥିଲା । ଏହାପରେ ୨୦୨୦ ମାର୍ଚ୍ଚ ୨୩ରେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଏଥର ଉଭୟ ଦଳ ନିଜର ବିଜୟକୁ ନେଇ ବେଶ ଆଶାବାଦୀ ଅଛନ୍ତି ।
ଏପଟେ ଛତିଶଗଡରେ ମଧ୍ୟ ୩୦ ପ୍ରତିଶତ ଭୋଟର ଅନୁସୂଚିତ ଜନଜାତିର ରହିଛନ୍ତି ତେଣୁ ଆଦିବାସୀ ଭୋଟ ଉପରେ କଂଗ୍ରେସ ଓ ବିଜେପି ଉଭୟ ଫୋକସ କରିଛନ୍ତି ।