ଚଳିତ ମାସ ୨୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ୨ ମାସ ପୁରିଛି। ଗତ ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ରାମ ଲାଲାଙ୍କ ଦର୍ଶନ କରିବା ପାଇଁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଏହି ସଂଖ୍ୟା ରେକର୍ଡ ସୃଷ୍ଟି କରିଛି।
୨୨ରେ ପ୍ରାଣପ୍ରତିଷ୍ଠା ପରେ ୨୩ ଜାନୁଆରୀରୁ ୨୧ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ୧ କୋଟି ୧୨ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର ଆସିଥିବା ପର୍ଯ୍ୟଟନ ବିଭାଗ ସୂଚନା ଦେଇଛି। ଏହି ସୂଚନା ଅନୁଯାୟୀ, ପ୍ରତିଦିନ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ରାମ ମନ୍ଦିରକୁ ଆସୁଥିବା ବେଳେ ମଙ୍ଗଳବାର, ଶନିବାର ଓ ରବିବାର ଦିନ ମନ୍ଦିରରେ ଭକ୍ତଙ୍କ ସମାଗମ ଅଧିକ ରହୁଥିବା ଦେଖିବାକୁ ମିଳିଛି।
ପର୍ଯ୍ୟଟନ ବିଭାଗରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ ଅଯୋଧ୍ୟା ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ବହୁଗୁଣା ବୃଦ୍ଧି ପାଇଛି। ପୂର୍ବ ତଥ୍ୟ ଅନୁଯାୟୀ, ୨୦୧୭ରେ ୧ କୋଟି ୭୮ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ଅଯୋଧ୍ୟା ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୧୪୧ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ। ସେହିଭଳି ୨୦୧୮ରେ ୧,୯୫,୩୪,୮୨୪ ଜଣ ଭାରତୀୟ ଓ ୨୮୩୩୫ ବିଦେଶୀ ପର୍ଯ୍ୟଟକ ଅଯୋଧ୍ୟା ଆସିଥିଲେ। କିନ୍ତୁ ୨୦୧୯-୨୦ରେ କୋଭିଡ ଯୋଗୁଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁତ କମ ଦେଖିବାକୁ ମିଳିଥିଲା। ତେବେ ୨୦୨୧ରେ ୧,୫୭,୪୩,୩୫୯ ଭାରତୀୟ ଓ ୪୩୧ ଜଣ ବିଦେଶୀ ପର୍ଯ୍ୟଟକ ଅଯୋଧ୍ୟାକୁ ଆସିଥିଲେ। ୨୦୨୨ରେ ୨,୨୧,୧୨,୪୦୧ ଜଣ ଭାରତୀୟ ଓ ୨୬,୪୦୩ ଜଣ ବିଦେଶୀ ପର୍ଯ୍ୟଟକ ଅଯୋଧ୍ୟା ଆସିଥିବା ବେଳେ ୨୦୨୩ରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୫,୭୫,୧୫,୪୨୩ରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ୨୦୮୪୧୮ ଜଣ ବିଦେଶୀ ଶ୍ରଦ୍ଧାଳୁ ଆସିଥିଲେ। ତେବେ ଚଳିତ ବର୍ଷ ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ପରେ ୨୦ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ୧ କୋଟି ୧୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରାମ ମନ୍ଦିର ଦର୍ଶନ କରିଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ଟ୍ରାନ୍ସପ୍ଲାଣ୍ଟ