ଅଗଷ୍ଟ 30ରେ ଆସିବାକୁ ଯାଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଦିନକୁ ଭାଇ ଏବଂ ଭଉଣୀମାନଙ୍କର ଦିନ ବୋଲି କୁହାଯାଏ । ଏହି ଦିନରେ ଭଉଣୀଟି ଅନେକ ଶ୍ରଦ୍ଧାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । ସେହିପରି ଭାଇଟି ତା ଭଉଣୀକୁ ସବୁବେଳେ ତାର ସୁରକ୍ଷା କରିବ ବୋଲି ବଚନ ଦେଇଥାଏ । ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦିଙ୍କ ନିକଟକୁ ପାକିସ୍ତାନରୁ ରାକ୍ଷୀ ଆସିଛି ।
ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ନିକଟକୁ ଭାରତ ଧାଇଁ ଆସିଥିବା ସୀମା ହାଇଦର୍ ଏମାନଙ୍କୁ ନିଜ ଭାଇ ବନେଇବାକୁ ଚାହୁଁଛନ୍ତି । ସୀମା ହାଇଦର୍ ଏକ ଭିଡିଓ ମାଧ୍ୟମରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଭିଡିଓଟି ରେ ସୀମା ଏକ ସବୁଜ ରଙ୍ଗର ଶାଢ଼ି ପିନ୍ଧି ଥିବାର ଦେଖାଯାଉଛନ୍ତି। ସୀମା ପ୍ରଥମେ ମୋଦୀଙ୍କ ନାମରୁ ଆରମ୍ଭ କରି ଡକ୍ଟର ମୋହନ ଗଜବତ, ରାଜନାଥ ସିଂହ, ଏପି ସିଂହ, ଯୋଗୀ ଆଦିତ୍ୟନାଥ ଏବଂ ଅମିତ ଶାହଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି ବୋଲି କହିଛନ୍ତି । ଏହାସହ ସେ ଅନ୍ୟ କାହା କାହା ପାଖକୁ ରାକ୍ଷୀ ପୋଷ୍ଟ୍ କରିଛନ୍ତି ସେ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ଏହାଛଡା ରାକ୍ଷୀଟି ସମୟ ପୂର୍ବରୁ ଯେମିତି ସମସ୍ତଙ୍କ ପାଖରେ ପହଞ୍ଚି ଯାଉ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହାସହ ସେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ , ସମସ୍ତେ ତାଙ୍କୁ ନିଜ ଛୋଟ ଭଉଣୀ ଭାବି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ରାକ୍ଷୀଟି କୁ ନିଜ ହାତରେ ବାନ୍ଧିବାକୁ । ଶେଷରେ ସେ ‘ଜୟ ଶ୍ରୀ ରାମ’ ଏବଂ ‘ଜୟ ହିନ୍ଦୁସ୍ତାନ’ର ନାରା ମଧ୍ୟ ଲଗାଇଛନ୍ତି। ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦିଙ୍କ ତରଫରୁ କୌଣସି ବି ପ୍ରତିକ୍ରିୟା ଆସିନାହିଁ ।