ଥିରୁଅନନ୍ତପୁରମ: କୁହାଯାଇଥାଏ ସାହାଯ୍ୟ କଲେ ପୂଣ୍ୟ ମିଳିଥାଏ । କାହାରିକୁ ସାହାଯ୍ୟ କରିବାକୁ ଭଲ କାମ କୁହାଯାଇଥାଏ । ଏଭଳି ଏକ ଜ୍ୱଳନ୍ତ ଉଦାହରଣ ହୋଇଛନ୍ତି କେରଳର ଆମ୍ବୁଲାନ୍ସ ଡ୍ରାଇଭର ଅରୁଣ । ସେ ୭୦ ବର୍ଷୀୟ ରୋଗୀଣା ମହିଳାଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି । କୋଲ୍ଲମର କରୁନାଗପଲ୍ଲୀ ନିବାସୀ ୨୮ବର୍ଷୀୟ ଅରୁଣ ନିଜର ବୃତ୍ତିଗତ ଜୀବନକୁ ନିଷ୍ଠାର ସହିତ ପାଳନ କରି ୨୮୭୦କିମି ଦୂର ଲକ୍ଷ୍ୟକୁ ପୂରା କରିଛନ୍ତି ।
ସୌତିଶ ଓ ତାଙ୍କର ମା’ ବୋଧିନୀ କେରଳରେ ବସବାସ କରନ୍ତି । ସୌତିଶ ମୟନାଗାପ୍ପଲ୍ଲୀର ଏକ ଇଟାଭାଟିରେ କାମ କରୁଥିଲେ । ତାଙ୍କ ପରିବାର ଖୁସିରେ ବିତୁଥିଲା । ୧୫ ବର୍ଷ ପରେ ବୋଧିନୀ କେରଳ ଆସିଥିଲେ ଏବଂ ଏଠାକାର ସବୁଜବନାନୀ ତାଙ୍କୁ ଆକର୍ଷିତ କରିଥିଲା । ସେଥିପାଇଁ ଏଠାରେ ସେ ରହିଯିବାକୁ ମନସ୍ଥ କରିଥିଲେ । ମାତ୍ର ୨୦୨୪ ଆରମ୍ଭରୁ ବୋଧିନ ଷ୍ଟ୍ରୋକକୁ ସାମ୍ନା କରବା ସହ ରୋଗରେ ପୀଡିତ ହୋଇଥିଲେ । ସେ ମୃତ୍ୟୁ ପୂର୍ବରୁ ନିଜର ଗୃହନଗରୀ ଫେରିଯାଇ ନିକଟତର ସଂପର୍କୀୟଙ୍କୁ ଭେଟିବାକୁ ଚାହୁଁଥିଲେ, ଯେଉଁମାନେ କି ପଶ୍ଚିମବଙ୍ଗର ରାୟଗଂଜରେ ବସବାସ କରୁଛନ୍ତି ।
ଜାତୀୟ ଗଣମଧ୍ୟମର ରିପୋର୍ଟ ଅନୁସାରେ ସୌତିଶଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ତାଙ୍କ ପାଇଁ ବିମାନଯାତ୍ରା କରିବା ସହଜ ନଥିଲା । ଅନ୍ୟପଟରେ ଟ୍ରେନରେ ମା’ଙ୍କୁ ଏତେ ଦୂର ଯିବା ମଧ୍ୟ ସୁରକ୍ଷିତ ଭାବୁ ନଥିଲେ । ତେଣୁ ଆମ୍ବୁଲାନ୍ସକୁ ଏକମାତ୍ର ବିକଳ୍ପ ଭାବିଥିଲେ । କିନ୍ତୁ ପ୍ରାୟ ୨୮୦୦ କିମି ଦୂର ଆମ୍ବୁଲାନ୍ସ ଚଲାଇବାକୁ କେହି ପ୍ରସ୍ତୁତ ନଥିଲେ । ତେଣୁ ସେ ଏମିରେଟ୍ସ ଆମ୍ବୁଲାନ୍ସ ସେବା ସହିତ ଯୋଗାଯୋଗ କରିଥିଲେ । ଏହି କଂପାନୀର ମାଲିକ କିରଣ ଜୀ ଦିଲୀପଙ୍କ ସହିତ ସଂପର୍କ କରିଥିଲେ । ଏହା ପରେ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆମ୍ବୁଲାନ୍ସର ଭଡ଼ା ୧,୨୦,୦୦୦ ଟଙ୍କା କୁହାଯାଇଥିଲା । କିନ୍ତୁ ସୌତିଶଙ୍କ ପାଖରେ ମାତ୍ର ୪୦,୦୦୦ ଟଙ୍କା ଥିଲା । ଶେଷରେ ୯୦,୦୦୦ ଟଙ୍କାର ଭଡ଼ା ନିର୍ଦ୍ଧାରିତ ହୋଇଥିଲା । ସୌତିଶ ପ୍ରଥମେ ୪୦,୦୦୦ ଟଙ୍କା ଦେଇଥିଲେ । ପରେ ପଶ୍ଚିମବଙ୍ଗରେ ପହଞ୍ଚିଲା ପରେ ବାକି ୫୦,୦୦୦ ଟଙ୍କା ଦେବାକୁ କହିଥିଲେ ।
ଅରୁଣ ଏବେ କେରଳରୁ ଆମ୍ବୁଲାନ୍ସକୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ବାହାରି ଥିଲେ । ଗଣମାଧ୍ୟମକୁ ଅରୁଣ କହିଛନ୍ତି, ପେଟ୍ରୋଲ ପମ୍ପରେ ତେଲ ପକାଇବା, ରୋଗୀଙ୍କୁ ଔଷଧ ଦେବା ଓ ଭୋଜନ ବ୍ୟତୀତ ଗାଡ଼ିକୁ ଅନ୍ୟ କେଉଁଠି ଅଟକା ଯାଇ ନଥିଲା । ସେ କହିଛନ୍ତି, ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ଯାଇଥିଲି । ତେଣୁ ରାସ୍ତା ସହିତ ପରିଚିତ ଥିଲି । କିନ୍ତୁ ଏଥରର କଥା ଭିନ୍ନ ଥିଲା । କାରଣ ରୋଗୀଙ୍କୁ ସୁରକ୍ଷିତ ପହଞ୍ଚାଇବାର ସଂକଳ୍ପ କରିଥିଲି ।