ଭୁବନେଶ୍ବର: ଜୟ ଜଗନ୍ନାଥ…ଜୟ ଶ୍ରୀରାମ…ନାରାରେ ଆଜି ପବିତ୍ର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଉଛୁଳି ପଡ଼ିଛି। ରଥଯାତ୍ରା ଅଥବା ବାହୁଡ଼ାଯାତ୍ରାରେ ବଡ଼ଦାଣ୍ଡରେ ଭକ୍ତମାନଙ୍କର ଯେଉଁଭଳି ଜନସମୁଦ୍ର ପରିଲକ୍ଷିତ ହୋଇଥାଏ, ଆଜି ସକାଳୁ ସେହିଭଳି ଦୃଶ୍ୟ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି। ଭାରତର ଅନ୍ୟତମ ବୃହତ୍ ଆଧ୍ୟାତ୍ମିକ ତୀର୍ଥସ୍ଥଳୀରେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ହୋଇଛି, ଏହା ବହୁ ବର୍ଷ ପାଇଁ ମନେରହିବ।
ପ୍ରଧାନମନ୍ତ୍ରୀଙ୍କ ଶୋଭାଯାତ୍ରାରେ ଜନ ସମୁଦ୍ର ପାଲଟିଥିଲା। ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଜି ସକାଳୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ହୋଇଥିଲା। ସମର୍ଥକ ମୁହଁରେ ମୋଦିଙ୍କ ମୁଖା ତଥା ହାତରେ ମୋଦୀଙ୍କ ପ୍ଲାକାର୍ଡ ଧରି ଲୋକେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଉଭୟ ପାର୍ଶ୍ୱରେ ମୋଦୀଙ୍କ ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହେଉଥିଲା। ମୋଦୀ ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଏହି ରୋଡ ଶୋ’ରେ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। କେଉଁଠି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ଗୋଟି ପୁଅ ନୃତ୍ୟ ତ କେଉଁଠି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଭୁବନେଶ୍ବରରେ ପହଞ୍ଚିଲା ପରେ ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ସକାଳ ୭ଟା ସୁଦ୍ଧା ସେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଜଗନ୍ନାଥଙ୍କ ନାମ ନେଇ ରୋଡ ଶୋ’କରିଥିଲେ। ମୋଦୀଙ୍କ ଖୋଲା ଗାଡ଼ିରେ ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ରଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଥିଲେ।
ସୁରକ୍ଷା ପାଇଁ ୬୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। ଏଥିରେ ୩ ଏସ୍ପି ରାଙ୍କର ଅଫିସର ମଧ୍ୟ ସାମିଲ ଥିଲେ। ୮ ଜଣ ଆଡିସିନାଲ୍ ଏସ୍ପି, ୨୨ ଜଣ ଡିଏସ୍ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍ ଇନ୍ସପେକ୍ଟର, ୩୪ ଜଣ ହାବିଲ୍ଦାର, ୨୦୨ ଜଣ କନ୍ଷ୍ଟେବଲ, ୨୫୦ ହୋମ୍ଗାର୍ଡ ଆଦି ନିୟୋଜିତ ହୋଇଥିଲେ। ରୋଡ ଶୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର।