ଶୁଣିବାକୁ ଆଶ୍ଚର୍ଯ୍ୟ , କିନ୍ତୁ ଏହା ସତ୍ୟ । ଏହି ପ୍ରଜାତିର ଆମ୍ବ ଵଜାରରେ କେଜି ପ୍ରତି ୩ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଏହା ଜାପାନର ଏକପ୍ରଜାତି ହୋଇଥିଲେ ହେଁ ଏବେ ଭାରତର ବିଭିନ୍ନ ରାଜ୍ୟରେ ଏହି ପ୍ରଜାତିର ଆମ୍ବ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି । ଆମ ରାଜ୍ୟ ଓଡ଼ିଶାର ଅନେକ ଚାଷୀ ନିଜସ୍ୱ ଉଦ୍ୟମରେ ଏହି ମୂଲ୍ୟବାନ ପ୍ରଜାତିର ଆମ୍ବ ଚାଷରେ ନିଜ ସଫଳ କାହାଣୀ ସ୍ଥାନିତ କରାଇଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କାନ୍ଦୁଲଗୁଡ଼ା ଗାଁର ଚାଷୀ ତଥା ଶିକ୍ଷକ ରକ୍ଷାକର ଭୋଇ ନିଜ ବଗିଚାରେ ମିୟାଜାକି ପ୍ରଜାତିର ଆମ୍ବ ଚାଷ କରି ବେଶ ଲାଭବାନ ହୋଇଛନ୍ତି ।
ରାଜ୍ୟ ସରକାର ଉପଯୁକ୍ତ ବଜାର ସଂଯୋଗ କରିନଥିବାରୁ ରକ୍ଷାକର ଆଶା କରୁଥିବା ଆୟ ପାଉନଥିବା କହନ୍ତି । ଏବେ ତାଙ୍କ ବଗିଚାରେ ଥିବା ୪୦ଟି ଗଛରେ ୩ କ୍ୟୁଣ୍ଟାଲ ଆମ୍ବ ଆସିଛି । ଏହାର ବଜାର ମୂଲ୍ୟ କେଜି ପ୍ରତି ୩ ଲକ୍ଷ ଟଙ୍କା କୁହାଯାଉଥିଲେ ହେଁ ଗ୍ରାହକର ଅଭାବ ରହିଛି । ଦିଲ୍ଲୀ ଭଳି ସହରରେ ଏହାର ଦାମ ଅଧିକ ଥିବାରୁ ରକ୍ଷାକାର ବିକ୍ରି କରିବାକୁ ବ୍ୟବସାୟୀଙ୍କ ଯୋଗାଯୋଗରେ ଅଛନ୍ତି ।
ଜାପାନର ଏହି ପ୍ରସିଦ୍ଧ ଫଳ ହେଉଛି ମୀୟାଜାକି ଆମ୍ବ । ଜାପାନର ଏକ ସହରର ନାମ ଅନୁଯାୟୀ ଏହାର ନାମ ମିୟାଜାକି ରହିଛି । ଜାପାନୀଜ ଭାଷାରେ ମିୟାଜାକିର ଅର୍ଥ ଉଦିତ ସୂର୍ଯ୍ୟ । ଆମ୍ବର ରଙ୍ଗ ମଧ୍ୟ ଉଦୟ ହେଉଥିବା ସୂର୍ଯ୍ୟଙ୍କ ପରି ଲୋହିତ ରଙ୍ଗ ।
ଏଥିରେ ରହିଛି ଚମାତ୍କାରୀ ଔଷଧୀୟ ଗୁଣ । ଭିଟାମିନ ଏ, ଭିଟାମିନ ସି ଓ ପ୍ରଚୁର ମାତ୍ରାରେ ଡାଏଟାରି ଫାଇବର ଏହି ଆମ୍ବରେ ରହିଥାଏ । ଯାହା ଦୃଷ୍ଟିଶକ୍ତି ବୃଦ୍ଧି ଓ ଚର୍ମରେ ଚମକ ଆଣିଥାଏ । ଉର୍ବର ମାଟି, ଉଷ୍ମ ଜଳବାୟୁ ଓ ଯଥେଷ୍ଟ ମାତ୍ରାରେ ଜଳ ମିଳିଲେ ଏହା ଦୃତ ଗତିରେ ବଢେ । ଏହି ପ୍ରଜାତିର ଆମ୍ବ ବେଶ ରସାଳ । ଖରାଦିନେ ଆମ୍ବ ବଜାରକୁ ଆସେ । ସ୍ଵାଦ, ବାସ୍ନା ଓ ସ୍ୱାସ୍ଥ୍ୟ ସଂପର୍କିତ ଗୁଣ ଥିବାରୁ ଋତୁକାଳୀନ ଏହି ଫଳର ଧୁମ୍ କିଣାବିକା ହୋଇଥାଏ । କେଜି ପ୍ରତି ୧୦୦ରୁ ୨୦୦ଟଙ୍କା ଦାମରେ କିଣାବିକା ହେଉଥିବା ବେଳେ ମିୟାଜାକି ପ୍ରଜାତିର ଆମ୍ବର କିଲୋ ପ୍ରତି ମୂଲ୍ୟ ରହିଛି ଅଢେ଼ଇ ଲକ୍ଷ ରୁ ଟିନି ଲକ୍ଷ । ଛତିଶଗଡରେ ଜଣେ ଚାଷୀ ତିନୋଟି ମୀୟଜାକି ଆମ୍ବ ଗଛ ଲଗାଇଥିବାରୁ ଦେଖାରଖା ପାଇଁ ମୁତୟନ କରିଛନ୍ତି ଦୁଇଜଣ ସିକ୍ୟୁରିଟି ଗାର୍ଡ ।