ମୁମ୍ବାଇ: ଫ୍ରାନ୍ସରେ ଆସନ୍ତା ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ରତିଷ୍ଠିତ ଫିଲ୍ମ ଫେଷ୍ଟିଭାଲ୍ରେ ଭାରତରୁ ପାୟଲ କପାଡିଆଙ୍କ ଚଳଚ୍ଚିତ୍ର ‘ଅଲ୍ ୱି ଇମାଜିନ୍ ଏଜ୍ ଲାଇଟ୍’ ବ୍ୟତୀତ ସନ୍ଧ୍ୟା ସୁରୀଙ୍କ ଫିଲ୍ମ ‘ସନ୍ତୋଷ’ ପ୍ରଦର୍ଶିତ ହେବ । ଏଥି ସହିତ ବେନେଗଲଙ୍କ ଫିଲ୍ମ ‘ମନ୍ଥନ’ ମଧ୍ୟ ଏହାର ଅଂଶବିଶେଷ ହେବ ।
ଫ୍ରାନ୍ସର ସୁନ୍ଦର ଉପୂକଳବର୍ତ୍ତୀ ସହରରେ ମଙ୍ଗଳବାରରୁ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜର୍ଜ ଲୁକାସ, ଡେମୀ ମୁର, ମେରିଲ ଷ୍ଟ୍ରିପଙ୍କ ସହିତ ବିଶ୍ୱର ଲୋକପ୍ରିୟ କଳାକାର ଓ ଫିଲ୍ମ ନିର୍ମାତା ପହଞ୍ଚିବେ । ଭାରତୀୟ କଳାକାରମାନଙ୍କ ମଧ୍ୟରୁ ରେଡ୍ କାର୍ପେଟରେ ଚାଲିବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଦିତି ରାଓ ହ୍ରାଇଦ୍ରୀ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ କଳାତ୍ମକ ଦୃଷ୍ଟିରେ ସର୍ବୋତ୍କୃଷ୍ଟ ବିଶ୍ୱ ସିନେମାକୁ ପ୍ରଦର୍ଶିତ ଓ ପୁରସ୍କୃତ କରାଯାଇଥାଏ । ଏଥର କାନ୍ସରେ ଭାରତର ଉପସ୍ଥିତିକୁ ନେଇ ଭାରତୀୟ ସନେଜଗତ ସହିତ ସିନେମାପ୍ରେମୀ ମଧ୍ୟ ଉତ୍ସାହିତ ଅଛନ୍ତି । କାରଣ ସର୍ବୋଚ୍ଚ ପୁରସ୍କାର ‘ପାମ ଡି ଓର’ ପାଇଁ ଭାରତୀୟ ଫିଲ୍ମ ମଧ୍ୟ ନାମିତ ଅଛି ।
ପାମ ଡି ଓର ପାଇଁ ନାମିତ ପାୟଲ କପାଡ଼ିଆଙ୍କ ଫିଲ୍ମ ‘ଅଲ ୱି ଇମାଜିନ’ କେରଳର ଦୁଇ ନର୍ସଙ୍କ କାହାଣୀ ଉପରେ ପର୍ଯ୍ୟବେସିତ, ଯେଉଁମାନେ କି ସେମାନେ ମୁମ୍ବାଇର ଏକ ନର୍ସିଂହୋମରେ କାମ କରନ୍ତି । ପାୟଳ ନିଜର ଇଚ୍ଛା ଓ ଆକାଂକ୍ଷାକୁ କାହାଣୀରେ କହିଛନ୍ତି । ସେହିପରି ଭାରତୀୟ ମୂଳ ଆମେରିକୀୟ ପିଲ୍ମନିର୍ମାତା ସନ୍ଧ୍ୟା ସୁରୀଙ୍କ ଫିଲ୍ମ ‘ସନ୍ତୋଷ’ରେ ଜଣେ ବିଧବା ମହିଳାଙ୍କ କାହାଣୀକୁ କେନ୍ଦ୍ର କରାଯାଇଛି, ଯାହାଙ୍କୁ ମୃତ ଆଶ୍ରିତଙ୍କ ସ୍ଥାନରେ ପୁଲିସ ଚାକିରି ମିଳିଥାଏ । ଏହି ଫିଲ୍ମରେ ମୁଖ୍ୟ ଭୂମିକା ନିଭାଇଥିବା ଶାହନା ଗୋସ୍ୱାମୀ କହିଛନ୍ତି କାନ୍ସରେ ଅଂଶଗ୍ରହଣ କରିବାକୁ ନେଇ ଖୁସି ଅନୁଭବ କରୁଛି । ଏହା ଦ୍ୱାରା ଆଗକୁ ବଢ଼ିବାର ପ୍ରେରଣା ମିଳିବ ।
କାନ୍ସରେ ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବା ନୂଆ କଥା ନୁହେଁ । ଭାରତୀୟ ସିନେମା ୧୦୦ ବର୍ଷ ପୂରା ହେବା ଅବସରରେ କାନ୍ସର ୬୬ତମ ସଂସ୍କରଣ (୨୦୧୩)ରେ ଭାରତ ଅଫିସିଆଲ ଅତିଥି ଦେଶ ହୋଇଥିଲା । ଏହାର ଉଦ୍ଘାଟନ ଅବସରରେ ବିଗ୍ ବି ଅମିତାଭ ବଚ୍ଚନ ମାତୃଭାଷା ହିନ୍ଦିରେ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ଭାରତ ସହିତ ଫ୍ରାନ୍ସର ରାଜନୈତିକ ସଂପର୍କ ୭୫ ବର୍ଷ ଉପଲକ୍ଷେ ୨୦୨୨ରେ ଉତ୍ସାହ ଦେଖାଯାଇଥିଲା ।