ମୁମ୍ବାଇ: ଡିଜିଟାଲ ଠକେଇ ଘଟଣା ବୃଦ୍ଧି ପାଉଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ଏହା ଉପରେ ଲଗାମ ଲଗାଇବାକୁ କହିଛନ୍ତି। ଏଥିପାଇଁ ଏକ ଦୃଢ଼ ଏବଂ ସକ୍ରିୟ ବ୍ୟବସ୍ଥା ନିର୍ମାଣ କରିବା ଏବଂ ବିପଦକୁ ହ୍ରାସ କରିବା ପାଇଁ ତୃତୀୟ ପକ୍ଷ ସେବା ପ୍ରଦାନକାରୀଙ୍କ ତଦାରଖ ବୃଦ୍ଧି କରିବାକୁ ଆରବିଆଇ ଗଭର୍ଣ୍ଣର ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି।
ରିଜର୍ଭ ବ୍ୟାଙ୍କଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସଞ୍ଜୟ ମାଲହୋତ୍ରା ସରକାରୀ ଓ ବେସରକାରୀ ବ୍ୟାଙ୍କର ସିଏମଡି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ସହ ଏକ ବୈଠକ କରି ଏହି ବୟାନ ଦେଇଛନ୍ତି। ଏହି ବୈଠକରେ ଆରବିଆଇ ର ଡେପୁଟି ଗଭର୍ଣ୍ଣର ଏମ ରାଜେଶ୍ୱର ରାଓ, ଟି ରବି ଶଙ୍କର ଏବଂ ସ୍ୱାମୀନାଥନ ଜେ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣ ଓ ତଦାରଖ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
ଡିଜିଟାଲ ଠକେଇ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ଆରବିଆଇ ଗଭର୍ଣ୍ଣର ବ୍ୟାଙ୍କଗୁଡ଼ିକୁ ଏଭଳି ପ୍ରୟାସକୁ ରୋକିବା ପାଇଁ ଦୃଢ଼ ଏବଂ ସକ୍ରିୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଆଇଟି ପରିଚାଳନା ଏବଂ ସାଇବର ନିରାପତ୍ତା ସମ୍ବନ୍ଧୀୟ ପ୍ରସଙ୍ଗଉପରେ ଆଲୋଚନା କରି ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ତୃତୀୟ ପକ୍ଷ ସେବା ପ୍ରଦାନକାରୀଙ୍କ ଉପରେ ତଦାରଖ ବଢ଼ାଇବାକୁ ଅନୁରୋଧ କରିଥିଲେ। ବୈଠକରେ ଆରବିଆଇ ଏବଂ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବା ସହ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କଗୁଡ଼ିକଠାରୁ ପରାମର୍ଶ ଲୋଡ଼ାଯାଇଥିଲା।
ମାଲହୋତ୍ରା କହିଛନ୍ତି, "ଆମେ ବ୍ୟାଙ୍କଗୁଡ଼ିକୁ ନିରନ୍ତର ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସମ୍ପ୍ରସାରଣ କରିବା, ଡିଜିଟାଲ ସାକ୍ଷରତା ରେ ଉନ୍ନତି ଆଣିବା, ଋଣର ଉପଲବ୍ଧତା ଏବଂ ସାମର୍ଥ୍ୟ ବୃଦ୍ଧି କରିବା, ଗ୍ରାହକ ସେବା ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଯୁକ୍ତି ବିଦ୍ୟାରେ ନିବେଶ ଜାରି ରଖିବାକୁ କହିଛୁ। ଏହାବ୍ୟତୀତ ଆରବିଆଇ ମୁଖ୍ୟ ଘରୋଇ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା ସହ ବିଶ୍ୱସ୍ତରରେ ନକାରାତ୍ମକ ବିପଦ ସୃଷ୍ଟି କରୁଥିବା କେତେକ ମୁଖ୍ୟ ଦୁର୍ବଳତା ଉପରେ ଆଲୋକପାତ କରିଥିଲେ।
ଏହି ବୈଠକ କେନ୍ଦ୍ରୀୟ ବ୍ୟାଙ୍କର ତଦାରଖ ଅନୁଷ୍ଠାନର ବରିଷ୍ଠ ପରିଚାଳନା ସହିତ ନିରନ୍ତର ଆଲୋଚନାର ଏକ ଅଂଶ ଥିଲା। ଶେଷ ଥର ପାଇଁ ୨୦୨୪ ଜୁଲାଇ ୩ତାରିଖରେ ଏଭଳି ବୈଠକ ଅନୁଷ୍ଠିତ ହୋଇଥିଲା।