ନୂଆଦିଲ୍ଲୀ : ଆସନ୍ତାକାଲି (ଗୁରୁବାର) ଭାରତ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ନିଜର ଅଭିଭାଷଣ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଦେଶ ବିଦେଶରେ ଆମେ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛେ। ଏହି ଦିନ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ପ୍ରଣାମ କରିବାର ସମୟ ଆସିଛି। ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ସେହି କ୍ଷତ ଏବେବି ମନରୁ ଲିଭିନି। ତଥାପି ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର। ଗରିବୀ ହଟାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ରାସନ ଦିଆଯାଉଛି।
ଜି-୨୦ର ସଫଳ ଆୟୋଜନ କରି ବିଶ୍ବରେ ପରାକାଷ୍ଠା ଦେଖାଇଛି ଭାରତ। ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ। ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି। ଏହି ଅଭିଭାଷଣରେ ମଧ୍ୟ ରାଷ୍ଟ୍ରପତି ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି। ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିଅନ ହୋଇଛି। ସେଥିପାଇଁ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଜରିଆରେ ସବୁ ବର୍ଗର ଖେଳାଳିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।