ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ରବିବାର-ସୋମବାର ରାତିରେ ଜମ୍ମୁ କଶ୍ମୀର ଏବଂ ନିୟନ୍ତ୍ରଣ ରେଖା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିଲା। କୌଣସି ଅପ୍ରୀତିକର ଘଟଣାର ଖବର ଆସି ନାହିଁ। ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସୀମାରେ ପଡ଼ୋଶୀ ଦେଶରୁ କୌଣସି ଗତିବିଧି ଦେଖାଯାଇ ନାହିଁ। ଭାରତୀୟ ସେନା ସୋମବାର ସକାଳୁ ଏହି ସୂଚନା ଦେଇଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ’ ୧୦ ତାରିଖ ଏକ ଅସ୍ତ୍ରବିରତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହା ପରେ ଉଭୟ ଦେଶ ଶାନ୍ତି ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତଥାପି ତିନି ଘଣ୍ଟା ମଧ୍ୟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତର ଅନେକ ସହର ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଭାରତୀୟ ସେନା ମଧ୍ୟ ପ୍ରତିଶୋଧ ନେଇ ସମସ୍ତ ଡ୍ରୋନକୁ ଖସାଇ ଦେଇଥିଲା।
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଜମ୍ମୁ-କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ଲଗାତାର ଗୁଳିମାଡ଼ କରୁଥିଲା। ପ୍ରାୟ ୧୫ ଦିନ ଯାଏଁ ପାକିସ୍ତାନ ଗୁଳିମାଡ଼ କରିଥିଲା, ଯାହାର ଭାରତୀୟ ସେନା ଉଚିତ ଜବାବ ଦେଇତିଲା। ଗତ ୭ ରୁ ୧୦ ତାରିଖ ମଧ୍ୟରେ ପାକିସ୍ତାନ ଅନେକ ଭାରତୀୟ ସାମରିକ ଘାଟିକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗୋଟିଏ ହେଲେ ପ୍ରୟାସ ସଫଳ ହୋଇନଥିଲା। ଭାରତ ପଡ଼ୋଶୀ ଦେଶକୁ ବହୁତ କ୍ଷତି ପହଞ୍ଚାଇଛି।
ଭାରତୀୟ ବାୟୁସେନା ଦ୍ୱାରା ଗତ ୭-୮ ତାରିଖ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ଅନ୍ତର୍ଗତ, ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ନିଜ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ପାକିସ୍ତାନ କ୍ରୋଧିତ ହୋଇଗଲା ଏବଂ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତ ଉପରେ ଆକ୍ରମଣ ଜାରି ରଖିଲା।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ବିଦେଶୀଙ୍କ ସମେତ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: କେତେ ପାକିସ୍ତାନୀ ସୈନିକ ନିହତ ହେଲେ?