ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଉତ୍ତର ଓ ପଶ୍ଚିମ ଭାରତର ୩୨ ବିମାନ ବନ୍ଦରକୁ ତତ୍କାଳ ପ୍ରଭାବରୁ ପୁଣି ଥରେ ଖୋଲି ଦିଆଯାଇଛି । ଏ ନେଇ ନୋଟିସ ଟୁ ଏୟାରମ୍ୟାନ ଜାରି କରାଯାଇଛି । ଏଥିସହ ୨୫ ଏୟାର ରୁଟସ୍ ପୁଣି ଥରେ ଖୋଲି ଦିଆଯାଇଛି । ଏହା ପୂର୍ବରୁ ସୀମାରେ ସଂଘର୍ଷ ବଢିବା ଏବଂ ଯୁଦ୍ଧ ସ୍ଥିତି ଲାଗି ରହିବାରୁ ଦେଶର ୩୨ ବିମାନ ବନ୍ଦରକୁ ବନ୍ଦ କରାଯାଇଥିଲା । ଭାରତୀୟ ବିମାନ ପ୍ରାଧିକରଣ(ଏଏଆଇ) ପ୍ରେସ ରିଲିଜ ଜାରି କରି କହିଛି ଯେ, ଯେଉଂ ୩୨ ବିମାନ ବନ୍ଦରକୁ ମେ ୧୫ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା, ତାହା ତତ୍କାଳ ପ୍ରଭାବରୁ ଖୋଲାଯିବ ।
ଯେଉଁ ଏୟାରପାର୍ଟ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା, ସେଥିରେ ଚଣ୍ଡିଗଡ, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁନ୍ତର, କିଶନଗଡ, ପଟିଆଲା, ସିମଲା, ଧର୍ମଶାଳା ଓ ବଠିଣ୍ଡା ପରି ପ୍ରମୁଖ ବିମାନ ବନ୍ଦର ସାମିଲ । ଏହା ବ୍ୟତୀତ ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ସ୍ଥାନ ଯଥା ଜୈସଲେମର, ଯୋଧପୁର, ଲେହ, ବିକାନେର, ପଠାନକୋଟ, ଜମ୍ମୁ, ଜାମନଗର ଓ ଭୁଜ ଏୟାରପୋର୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା ।
ପୁଣି ଥରେ ଖୋଲା ଯାଇଥିବା ୩୨ ବିମାନ ବନ୍ଦର
ଆଦମପୁର, ଅମ୍ବାଲା, ଅମୃତସର, ଅବନ୍ତିପୁର,ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ, ହଲୱାରା, ଜମ୍ମୁ, ଜାମନଗର, କାଣ୍ଡଲା, କାଙ୍ଗଡା, କେଶୋଦ, କିଶନଗଡ, କୁଲ୍ଲୁ ମନାଲି, ଲେହ, ଲୁଧିଆନା, ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିୟାଲା, ପୋରବନ୍ଦର, ରାଜକୋଟ, ସରସାବା, ସିମଲା, ଶ୍ରୀନଗର, ଥୋଇସ, ଉତ୍ତରଲାଇ ।