ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ଅବସରରେ ଭାରତ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୫ ବର୍ଷରେ ମେଡିକାଲ କଲେଜରେ ୭୫ ହଜାର ନୂଆ ସିଟ୍ ବଢ଼ିବ ବୋଲି କହିଛନ୍ତି।
ଲାଲକିଲ୍ଲା ପ୍ରାଚୀରରୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଛାତ୍ରମାନେ ଡାକ୍ତରୀ ପାଠ ପଢ଼ିବା ପାଇଁ ବାହାରକୁ ଯାଉଛନ୍ତି। କିନ୍ତୁ ଆମେ ଗତ ୧୦ ବର୍ଷ ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା ୧ ଲକ୍ଷକୁ ବୃଦ୍ଧି କରିଛୁ। ଛାତ୍ରଛାତ୍ରୀଙ୍କୁ ଏଭଳି ଦେଶକୁ ଯିବାକୁ ପଡ଼େ, ବେଳେବେଳେ ଏ ବିଷୟରେ ଚିନ୍ତା କଲେ ମୁଁ ଆଶ୍ଚର୍ଯ୍ୟ ହୋଇଯାଏ। ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ କଲେଜରେ ୭୫ ହଜାର ନୂଆ ସିଟ୍ ସୃଷ୍ଟି ହେବ। ବଜେଟ ସମ୍ପର୍କରେ ସେ କହିଛନ୍ତି ଯେ ବଜେଟରେ ଆମେ ଇଣ୍ଟର୍ନସିପ୍ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ। ଯାହାଦ୍ୱାରା ଆମର ଯୁବପିଢ଼ି ଅଭିଜ୍ଞତା ପାଇପାରିବେ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇପାରିବେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବଜେଟରେ ଆମେ ଗବେଷଣା ଏବଂ ଉଦ୍ଭାବନକୁ ଏକ ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛୁ ଯାହା ଦ୍ୱାରା ଆମେ ଆମ ଦେଶର ଯୁବବର୍ଗଙ୍କ ପାଖରେ ଥିବା ଚିନ୍ତାଧାରାକୁ କାର୍ଯ୍ୟକାରୀ କରିପାରିବା
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ଲାଭ କରି ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଥିଲା। ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି। ସାରା ଦେଶରେ ସ୍ୱାଧୀନତା ଦିବସ ବେଶ ଧୁମଧାମରେ ପାଳନ କରାଯାଏ। ସ୍କୁଲ ଓ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକମାନେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି।