ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ ସିଜନ୍-୧୬। ପ୍ୟାନେଲ୍ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ଏଥର ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର୍ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଇନିଂସ୍ ଆରମ୍ଭ, ମଝି ଓ ଅନ୍ତିମ ସମୟରେ ଲୋରିଆଙ୍କ କଣ୍ଠରୁ ଆପଣ ଶୁଣିବେ କ୍ରିକେଟର ଓଡ଼ିଆ ପ୍ରସାରଣ। ଯାହା ଗୋଟିଏ ନୂଆ ଅନୁଭୂତି ଆପଣଙ୍କୁ ଦେବ ବୋଲି କୁହାଯାଉଛି। ଜିଓ ସିନେମା ଆପ୍ରେ ଆଇପିଏଲ୍ ସିଜିନ୍-୧୬କୁ ଦର୍ଶକମାନେ ଦେଖିପାରିବେ। ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍ (ଚୟନ ପକ୍ରିୟା)ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ। ଲୋରିଆ ହେଉଛନ୍ତି, କଟକର ମିରାରାଣୀ ମହାନ୍ତି ଓ ଗୋପୀନାଥ ମହାନ୍ତିଙ୍କ କନ୍ୟା। ସେ ଗୋଟିଏ ପଞ୍ଜାବି ପରିବାରରେ ବିବାହ କରିଛନ୍ତି। ଲୋରିଆ ଓଡ଼ିଆ ଟିଭି ଓ ଆଙ୍କରିଂ ଜଗତରେ ଆଦୌ ନୂଆ ନାଁ ନୁହେଁ। ସେ ଦୀର୍ଘ ୧୫ ବର୍ଷ ହେବ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଛନ୍ତି। ସାଂସ୍କୃତିକ ମଞ୍ଚ ପରିଚାଳନାରେ ଦକ୍ଷତା ରଖିଥିବା ଲୋରିଆ ପ୍ରଥମ ଥର ପାଇଁ କ୍ରିକେଟ ପ୍ରସାରଣରେ ସାମିଲ ହେବାକୁ ଯାଉଛନ୍ତି।