ମାଲାପୁରମ: ନିକଟରେ କେରଳରେ ନିପା ଭାଇରସରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ସରକାର ଆକ୍ସନକୁ ଆସିଛନ୍ତି। କେରଳ ସରକାର ମାଲାପୁରମରେ ଅନେକ କଣ୍ଟେନମେଣ୍ଟ ଜୋନ୍ କରିଛନ୍ତି ଏବଂ ସେଥିରେ କଟକଣା ଲାଗୁ କରିଛନ୍ତି। ମାଲାପୁରମ୍ ଜିଲ୍ଲାର ଦୁଇଟି ପଞ୍ଚାୟତର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନିପା ଭାଇରସର ଦ୍ରୁତ ବୃଦ୍ଧିକୁ ଦେଖି କଣ୍ଟେନମେଣ୍ଟ ଜୋନରେ ଥିବା ଦୋକାନଗୁଡ଼ିକୁ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ସିନେମା ହଲ, ସ୍କୁଲ, କଲେଜ, ମଦ୍ରାସା, ଅଙ୍ଗନବାଡି ଓ ଟ୍ୟୁସନ ସେଣ୍ଟର ବନ୍ଦ ରହିବ ।
ସେପଟେ ମାଲାପୁରମ ଜିଲ୍ଲାରେ ଆଂଶିକ କଟକଣା ଜାରି କରାଯାଇଛି । ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅଧିକାରୀମାନେ କହିଛନ୍ତି। ଜିଲ୍ଲାରେ ବିବାହ, ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେପ୍ଟେମ୍ବର ୯ତାରିଖରେ ମୃତ୍ୟୁବରଣ କରିଥିବା ୨୪ ବର୍ଷୀୟ ଯୁବକ ନିପା ଭୂତାଣୁରେ ସଂକ୍ରମିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଜର୍ଜ ସୋମବାର କହିଛନ୍ତି ଯେ ମୃତ ରୋଗୀଙ୍କ କଣ୍ଟାକ୍ଟ ଲିଷ୍ଟରେ ବର୍ତ୍ତମାନ ୧୭୫ ଜଣ ଅଛନ୍ତି, ସେମାନଙ୍କ ମଧ୍ୟରୁ ୭୪ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୬ଟି ଟିମ୍ ଗଠନ କରାଯାଇ ମୃତକଙ୍କ ଘରର ୩ କିଲୋମିଟର ପରିଧିରେ ଜ୍ୱର ସର୍ଭେ ଆରମ୍ଭ ହୋଇଛି। ନିପା ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୨୧ ତାରିଖରେ ମାଲାପୁରମର ଜଣେ ବାଳକର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ରାଜ୍ୟରେ ନିପା ସଂକ୍ରମଣର ଏହା ପ୍ରଥମ ମାମଲା ଥିଲା। କୋଝିକୋଡ଼ ଜିଲ୍ଲାରେ ୨୦୧୮, ୨୦୨୧ ଓ ୨୦୨୩ରେ ଏର୍ଣ୍ଣାକୁଲମ୍ ଜିଲ୍ଲାରେ ନିପା ବ୍ୟାପିଛି।
କୋଝିକୋଡ଼, ୱାୟନାଡ, ଇଡୁକ୍କି, ମାଲାପୁରମ୍ ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାରେ ବାଦୁଡ଼ିଙ୍କ ଠାରେ ନିପା ଭାଇରସ୍ ଆଣ୍ଟିବଡି ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ସ୍ବାମୀନାରାୟଣ ମନ୍ଦିର ଭଙ୍ଗାରୁଜା