ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ଆଜି, ସାଧାରଣ ନିର୍ବାଚନ ପରେ ବଡ଼ ରାୟ ଦେବେ ମତଦାତା
Khabar Odisha:Nation-Maharashtra-Haryana-assembly-elections-voting-today-fate-of-more-than-4000-candidate-to-be-decided

ମୁମ୍ବାଇ/ଚଣ୍ଡିଗଡ଼, ଅକ୍ଟୋବର ୨୧ (ଖବର ଓଡ଼ିଶା): ସାଧାରଣ ନିର୍ବାଚନ ପରେ ଦେଶର ପ୍ରଥମ ବଡ଼ ନିର୍ବାଚନ କୁହାଯାଉଥିବା ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ଏବଂ ହରିୟାଣାର ୯୦ ଆସନ ପାଇଁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ଏହା ବ୍ୟତୀତ ଦେଶର ୧୮ଟି  ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାତା ଭୋଟ ଦେଉଛନ୍ତି । ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଏହାର ସହଯୋଗୀ ଦଳ ‘ଶିବସେନା’ ବିପୁଳ ଭୋଟରେ ବିଜୟୀ ହେବା ପରେ ମହାରାଷ୍ଟ୍ରରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି ।

ଭାରତୀୟ ଜନତା ପାର୍ଟି ହରିୟାଣାରେ ମଧ୍ୟ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଅଙ୍କ କଷୁଛି । ବିରୋଧୀ ଦଳମାନେ ଯଦିଓ ଦମଦାର ନିର୍ବାଚନ ପ୍ରଚାର କରିଛନ୍ତି ତଥାପି କିଛି ନେତା ଅସନ୍ତୁଷ୍ଟ ଥିବାରୁ ଦଳ ପାଇଁ ବିପଦ ସୃଷ୍ଟି କରିପାରେ ।  

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମତଭେଦ ଦୂର କରି ମେଣ୍ଟ କରିଛନ୍ତି । ସେହିଭଳି କଂଗ୍ରେସ ଓ ଏନସିପି ହାତ ମିଶାଇଛନ୍ତି । ଏନସିପିର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ମେଣ୍ଟର ଦାୟିତ୍ୱ ଦିଆଯାଇଛି । ମହାରାଷ୍ଟ୍ରରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ଲୋକ ଭୋଟ ଦେବେ । ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୪ କୋଟି ୨୮ ଲକ୍ଷ ୪୩ ହଜାର ୬୩୫ ଜଣ । ରାଜ୍ୟରେ ମତଦାନ ପାଇଁ ୯୬ ହଜାର ୬୬୧ ବୁଥ କରାଯାଇଛି । ନିର୍ବାଚନରେ ୨୩୫ ଜଣ ମହିଳାଙ୍କ ସମେତ ୩୨୩୭ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । 

ହରିୟାଣା ସଂପର୍କରେ ଯଦି ଆଲୋଚନା କରିବା, ତା’ ହେଲେ ବିଜେପିର ପ୍ରଭାବ ଅଧିକ ରହୁଛି । ମାତ୍ର ୯୦ ବିଧାନସଭା ଆସନ ଥିବା ରାଜ୍ୟରେ ଇଣ୍ଡିଆନ ନ୍ୟାସନାଲ ଲୋକଦଳରୁ ଅଲଗା ହୋଇଥିବା ଜେଜେପି ମଧ୍ୟ କଡ଼ା ମୁକାବିଲା କରିପାରେ । ରାଜ୍ୟରେ ୧.୮୩ କୋଟି ମତଦାତା ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଖଟ୍ଟର ପୁଣି ଥରେ କ୍ଷମତାକୁ ଆସିବେ ଅଥବା କଂଗ୍ରେସର ବନବାସ ଶେଷ ହୋଇଯିବ । ଗତ ଏପ୍ରିଲ-ମେ’ମାସରେ ହୋଇଥିବା ଲୋକସଭା ନିର୍ବାଚନରେ ଉଭୟ ରାଜ୍ୟରେ ବିଜେପି ଓ ଏହାର ସହଯୋଗୀ ଦଳକୁ ବିପୁଳ ଭୋଟ ମିଳିଥିଲା । ହରିୟାଣାର ସମସ୍ତ ୧୦ଟି ଲୋକସଭା ଆସନରେ ବିଜେପି ଜିତିଥିବା ବେଳେ ମହାରାଷ୍ଟ୍ରର ୪୮ଟି ଆସନ ମଧ୍ୟରୁ ବିଜେପି ଓ ଶିବସେନାକୁ ୪୧ଟି ଆସନ ହସ୍ତଗତ ହୋଇଥିଲା ।  

  • Tags:

Subscribe

National International State Sports Entertainment